୩ ମାସ ମଧ୍ୟରେ ତଦନ୍ତ ପାଇଁ ନିର୍ଦ୍ଦେଶ

କଟକ,୨୬ା୮(କାର୍ତ୍ତିକ ସାହୁ): ରାଜଧାନୀ ଭୁବନେଶ୍ୱରର ପଟିଆ ମୌଜାରେ ୯୯ ଏକର ସରକାରୀ ଲିଜ୍‌ ଜମିକୁ ବେଆଇନ ଭାବେ ବିକ୍ରି କରାଯିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାର ଶୁଣାଣି କରି ଆଗାମୀ ୩ ମାସ ମଧ୍ୟରେ ତଦନ୍ତ କରାଇବାକୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ଭୁବନେଶ୍ବର ତହସିଲର ନିଉ କ୍ୟାପିଟାଲ ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳରେ ୯୯ଏକର ସରକାରୀ ଜମିକୁ ବେଆଇନ ଭାବେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଉପରୋକ୍ତ ମୋଟ ଜମି ପଟିଆ ମୌଜାର ଖାତା ନଂ-୪୮୯/୫୪ରେ ରହିଛି। ଭୂମିହୀନଙ୍କୁ ପ୍ରଦାନ କରାଯାଇଥିବା ଉକ୍ତ ଲିଜ ଜମିକୁ ବିଲଡର ସଂସ୍ଥା କ୍ରୟ କରି ଅନ୍ୟମାନଙ୍କୁ ବିକ୍ରି କରୁଥିଲେ। ଏହା ଉପରେ ତଦନ୍ତ କରାଯାଇ ବେଆଇନ ଭାବେ ବିକ୍ରି ହେଉଥିବା ଜମିକୁ ସରକାରୀ ଖାତାକୁ ଆଣିବା ଲାଗି ବାଇଧର ସାହୁ ଓ ଅନ୍ୟମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଭୁବନେଶ୍ବରରେ ପୂର୍ବରୁ ଜମି ନ ଥିବା ଲୋକଙ୍କୁ ଲିଜ୍‌ରେ ଜମି ପ୍ରଦାନ କରାଯାଉଥିଲା। ବହୁ ଲୋକ ଜମି ନ ଥିବା ଦର୍ଶାଇ ଜମି ପାଇଁ ଆବେଦନ କରିଥିଲେ। ଏହି ଲିଜ୍‌ ଜମି ତୃତୀୟ ପକ୍ଷକୁ ବିକ୍ରି କରିପାରିବେନି ବୋଲି ନିୟମ ରହିଥିବା ବେଳେ ବହୁ ଲୋକେ ଏହାର ଅଣଦେଖା କରି ବିଲଡରୁ ବିକ୍ରି କରିଦେଲେ। ପୁଣି ସଂପୃକ୍ତ ବିଲ୍‌ଡର ସଂସ୍ଥା ସେହି ଜମିକୁ ଅନ୍ୟ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ହେଲେ ସବ୍‌ରେଜିଷ୍ଟ୍ରାର ଯାଞ୍ଚ ନ କରି ସରକାରୀ ଲିଜ୍‌ ଜମିକୁ ବିକ୍ରି ଖର୍ଦି କରାଉଥିବା ଜଣାପଡ଼ିଥିଲା। ୨୦୧୪ରେ ଜମି ପଞ୍ଜୀକରଣ ନିୟମରେ ସଂଶୋଧନ କରାଯାଇଥିଲା। ସରକାରୀ ଜମି ଖର୍ଦ୍ଦି ବିକ୍ରି ଖର୍ଦି ସମୟରେ ସବ୍‌ରେଜିଷ୍ଟ୍ରାର ମାଲିକାନା ସ୍ବତ୍ୱ ଯାଞ୍ଚ କରିବା ବ୍ୟବସ୍ଥା କରାଯାଇଥିଲା। ଭୁବନେଶ୍ବରରେ ସାଧାରଣ ପ୍ରଶାସନ (ଜିଏ) ବିଭାଗ ହାତରେ ସମସ୍ତ ଜମିର ମାଲିକାନା ସ୍ବତ୍ୱ ରହିଥାଏ। ତେଣୁ ଜମି ବିକ୍ରି ଖର୍ଦ୍ଦି ସମୟରେ ସାଧାରଣ ପ୍ରଶାସନ ବିଭାଗର ଅନୁମତି ଆବଶ୍ୟକ ବୋଲି ସଂଶୋଧିତ ନିୟମରେ କୁହାଯାଇଥିଲା। ଫଳରେ ବିକ୍ରି କରାଯାଇଥିବା ଲିଜ ଜମିଗୁଡ଼ିକ ବେଆଇନ ବୋଲି ଜଣାପଡ଼ିଥିଲା। ସରକାରୀ ଅଧିକାରୀ ଭଲ ଭାବେ ଯାଞ୍ଚ ନ କରି ପଞ୍ଜୀକରଣ ଅନୁମତି ଦେଇଥିବାରୁ ପଟିଆ ମୌଜାରେ ଥିବା ୯୯ ଏକର ଜମି ବେଆଇନ ଭାବେ ବିକ୍ରି ହୋଇଛି। ଏହାର ତଦନ୍ତ କରାଯିବା ସହ ଯେଉଁମାନେ ଏପରି ବିକ୍ରି କରିଛନ୍ତି ଏବଂ କିଣିଛନ୍ତି ଏହାକୁ ବାଜ୍ୟାପ୍ତି କରାଯାଇ ସରକାରୀ ଖାତାକୁ ନେବାକୁ ଆବେଦନକାରୀଙ୍କ ପକ୍ଷରୁ ଅଦାଲତରେ ଦାବି କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଥିଲେ।