Categories: ଜାତୀୟ

ରିଟର୍ନିଂ ଅଫିସରଙ୍କ ବିରୋଧରେ ମକଦ୍ଦମା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୨(ପି.ଟି.): ଚଣ୍ଡିଗଡ଼ ମେୟର ନିର୍ବାଚନରେ ଘୋଡ଼ାବେପାରକୁ ନେଇ ସୁପ୍ରିମକୋର୍ଟ ରିଟର୍ନିଂ ଅଫିସରଙ୍କୁ ଭର୍ତ୍ସନା କରିବା ସହ ତାଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବାଲଟ ପେପର ଏବଂ ଭୋଟଗଣତି ଦିନର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ ମଙ୍ଗଳବାର ଦାଖଲ କରିବାକୁ ଅଦାଲତ କହିଛନ୍ତି। ଉପରୋକ୍ତ ରେକର୍ଡଗୁଡ଼ିକୁ ନିରାପଦର ସହ ଦିଲ୍ଲୀ ଆଣିବାରେ ସହାୟତା କରିବା ପାଇଁ ଜଣେ ନ୍ୟାୟିକ ଅଧିକାରୀଙ୍କୁ ନିୟୋଜିତ କରିବା ନିମନ୍ତେ ସର୍ବୋଚ୍ଚ ଅଦାଲତ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମେୟର ନିର୍ବାଚନ ପରିଚାଳନା କରିଥିବା ରିଟର୍ନିଂ ଅଫିସର ଅନିଲ ମସିହ ନିଶ୍ଚୟ ବାଲଟ ପେପରଗୁଡ଼ିକୁ ବିକୃତ କରିଛନ୍ତି। ତାଙ୍କ ବିରୋଧରେ ତଦନ୍ତ ହେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ। ରିଟର୍ନିଂ ଅଫିସରଙ୍କ କାର୍ଯ୍ୟକଳାପ ଗଣତନ୍ତ୍ରର ହତ୍ୟା ଏବଂ ପରିହାସ ଭଳି ବୋଲି ଖଣ୍ଡପୀଠ ଟିପ୍ପଣୀ କରିଥିଲେ। କେତେକ ବାଲଟ୍‌ ପେପରରେ ଟାମ୍ପରିଂକୁ ନେଇ ଅଦାଲତ ମସିହଙ୍କୁ ପ୍ରଶ୍ନ କରିଥିଲେ। ପୂର୍ବରୁ ବିକୃତ ହୋଇଥିବା ୮ଟି ବାଲଟରେ ସେ X ଚିହ୍ନ ଲଗାଇଥିଲେ ବୋଲି କହିଥିଲେ। ଆମ୍‌ ଆଦ୍‌ମୀ ପାର୍ଟିର କାଉନସିଲରମାନେ ଗୃହରେ ହଟ୍ଟଗୋଳ କରିବା ସହ ବାଲଟ ପେପର ଛଡ଼ାଇନେବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ସେ ସିସିଟିଭି କ୍ୟାମେରାକୁ ଚାହିଁଥିଲେ ବୋଲି ମସିହ କହିଛନ୍ତି। ସୂଚନାଯୋଗ୍ୟ, ଜାନୁଆରୀ ୩୦ରେ ଅନୁଷ୍ଠିତ ମେୟର ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ଏବଂ କଂଗ୍ରେସର ମିଳିତ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ହରାଇ ଭାଜପାର ମନୋଜ ସୋଙ୍କରଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। କଂଗ୍ରେସ ଏବଂ ଏଏପିର କାଉନସିଲର ଅଧିକ ଥିବା ସତ୍ତ୍ୱେ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ୮ଟି ଭୋଟ୍‌କୁ ନାକଚ କରାଯାଇଥିବା କୁଲଦୀପ ଅଭିଯୋଗ କରିବା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share