Categories: ଜାତୀୟ

ରାଓ୍ବା ଇଡଲି ଅର୍ଡର କରି କାଫେରେ ଛାଡି ଦେଇଗଲେ ଆଇଇଡି ଭର୍ତ୍ତି ବ୍ୟାଗ, ଚିହ୍ନଟ ହେଲେ ବେଙ୍ଗାଲୁରୁ କାଫେ ବ୍ଲାଷ୍ଟର ଅଭିଯୁକ୍ତ

ବେଙ୍ଗାଲୁରୁ,୨।୩: ଶୁକ୍ରବାର ଅପରାହ୍ନରେ ବେଙ୍ଗାଲୁରୁର ରମେଶ୍ୱରମ କାଫେରେ ବିସ୍ଫୋରଣ ଘଟାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ ସିସିଟିଭି ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅଭିଯୁକ୍ତଙ୍କ ବୟସ ୨୮ ରୁ ୩୦ବର୍ଷ ମଧ୍ୟରେ। ସେ କାଫେ ଭିତରେ କିଛି ଜିନିଷ ଭର୍ତ୍ତିଥିବା ଏକ ବ୍ୟାଗ ରଖିଥିଲେ। ବ୍ୟାଗ ରଖିବାର କିଛି ସମୟ ପରେ ବିସ୍ଫୋରଣ ଘଟି ପ୍ରାୟ ଦଶ ଜଣ ଆହତ ହୋଇଥିଲେ। ସୂଚନାନୁସାରେ, ବେଙ୍ଗାଲୁରୁ ପୋଲିସ ମଧ୍ୟ ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି। ସେ ବେଙ୍ଗାଲୁରୁର ବାସିନ୍ଦା। କେନ୍ଦ୍ରୀୟ ଅପରାଧ ବ୍ୟୁରୋର ଏକ ସ୍ବତନ୍ତ୍ର ଦଳ ତାଙ୍କୁ ପଚରାଉଚରା କରୁଛନ୍ତି।
କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୟା ଶୁକ୍ରବାର ନିଶ୍ଚିତ କରିଛନ୍ତି ଯେ ଏହି ବିସ୍ଫୋରଣ ଆଇଏଡି ଦ୍ୱାରା ହୋଇଛି। ଅଭିଯୁକ୍ତ ଜଣକ ପୂର୍ବରୁ କାଫେ ଯାଇ ରାଓ୍ବା ଇଡଲି ପାଇଁ ଏକ କୁପନ ନେଇଥିଲେ, କିନ୍ତୁ ସେ ଖାଦ୍ୟ ନ ଖାଇ ଚାଲି ଯାଇଥିଲେ। ଏହି ସମୟ ମଧ୍ୟରେ ସେ ନିଜ ବ୍ୟାଗକୁ କାଫେରେ ଛାଡିଥିଲେ, ସେ ଛାଡିଥିବା ବ୍ୟାଗରେ ଆଇଇଡି ଥିବା ଅଭିଯୋଗ ହୋଇଥିଲା।

Share