କଟକର ସମସ୍ତ ବେଆଇନ ହସ୍ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ

କଟକ,୨ା୭ (କାର୍ତ୍ତିକ ସାହୁ) :କଟକରେ ବିନା ରେଜିଷ୍ଟ୍ରେଶନରେ ଚାଲିଥିବା ଏକ ନିର୍ଦ୍ଦିଷ୍ଟ ହସ୍ପିଟାଲ ସମେତ ଅନ୍ୟ କେତେକ ହସ୍ପିଟାଲକୁ ତୁରନ୍ତ ବନ୍ଦ କରିବାକୁ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ହସ୍ପିଟାଲକୁ ବନ୍ଦ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ କେବଳ ଚିଠି ଲେଖି ବସିପଡ଼ିଥିବାରୁ କମିଶନ କ୍ଷୋଭ ପ୍ରକାଶ କରିଛନ୍ତି। ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ଏହି ମାମଲା ରୁଜୁ ହୋଇଛି।

ମାମଲାର ବିବରଣୀ ଅନୁଯାୟୀ, ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବାବଲପୁରର କିଶୋର ଚନ୍ଦ୍ର ଦାଶ(୪୭) ସାମାନ୍ୟ ଦୁର୍ଘଟଣାର ଶିକାର ହୋଇ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୦୨୧ ଜୁଲାଇ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଥିଲା। ପ୍ରଥମ ଟେଷ୍ଟରେ ରୋଗୀଙ୍କର କୋଭିଡ୍‌ ନ ଥିବା ଜଣାପଡ଼ିଥିଲା। ମାତ୍ର ଦୁଇଦିନ ପରେ ତାଙ୍କୁ କୋଭିଡ୍‌ ହୋଇଛି ବୋଲି କହି ଡାକ୍ତରମାନେ ଛୁଇଁ ନ ଥିଲେ। ଫଳରେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଅପରପକ୍ଷରେ ଏହି ହସ୍ପିଟାଲ ବିନା ରେଜିଷ୍ଟ୍ରେଶନରେ ଚାଲୁଥିବା ଜଣାପଡ଼ିଥିଲା। ଏହାର ରେଜିଷ୍ଟେଶନର ଅବଧି ୨୦୧୫ରୁ ଶେଷ ହୋଇଯାଇଥିଲା। ଏହି ମାମଲାକୁ ନେଇ ହାଇକୋର୍ଟ ଆଇନଜୀବୀ ନିଶିକାନ୍ତ ମିଶ୍ର ଓ ଶ୍ରୀ ଅଖଣ୍ଡ ମିଳିତ ଭାବେ ଏନ୍‌ଏଚ୍‌ଆର୍‌ସିରେ ମାମଲା ଦାଏର କରିଥିଲେ। ସ୍ବାସ୍ଥ୍ୟ ବିଭାଗ ଏକ କମିଟି ଗଠନ କରି ଏହାର ଅନୁସନ୍ଧାନ କରିଥିଲା। ତେବେ ଏହି କମିଟି କିଶୋରଙ୍କ ଚିକିତ୍ସାରେ ଅବହେଳା ହୋଇ ନ ଥିବା ରିପୋର୍ଟ ଦେଇଥିଲା। ମାତ୍ର ଉକ୍ତ ହସ୍ପିଟାଲର ରେଜିଷ୍ଟ୍ରେଶନ ଅବଧି ୨୦୧୫ରୁ ଶେଷ ହୋଇଯାଇଥିବା ଓ ଏହାର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନ ଥିବା ରିପୋର୍ଟରେ ଦର୍ଶାଯାଇଥିଲା।

ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଉକ୍ତ ହସ୍ପିଟାଲ ସମେତ ଅନ୍ୟ ୧୧ଟି ହସ୍ପିଟାଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ହେଉନାହିଁ ବୋଲି ଦର୍ଶାଇଥିଲେ। କିନ୍ତୁ ଆବେଦନକାରୀ କମିଶନଙ୍କୁ ଅବଗତ କରାଇଥିଲେ, ହାଇକୋର୍ଟରେ ଏ ସଂକ୍ରାନ୍ତୀୟ ମାମଲା ବନ୍ଦ ହୋଇସାରିଛି। ଏହାପରେ କମିଶନ ଏହି ହସ୍ପିଟାଲ ସମେତ ଅନ୍ୟ ହସ୍ପିଟାଲକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଉକ୍ତ ହସ୍ପିଟାଲରେ କୌଣସି ରୋଗୀଙ୍କୁ ଆଡ୍‌ମିଶନ ନ କରିବା, ଯଦି କୌଣସି ରୋଗୀ ଏଠାରେ ଥାନ୍ତି ସେମାନଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ସ୍ଥାନାନ୍ତର କରି ଉକ୍ତ ହସ୍ପିଟାଲକୁ ତୁରନ୍ତ ବନ୍ଦ କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଯେପରି କୌଣସି ରୋଗୀ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତିି।