Categories: ଜାତୀୟ

ପରମବୀରଙ୍କ ବିରୋଧରେ ତଦନ୍ତ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩ା୨: ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ବିରୋଧରେ ତଦନ୍ତ ରୋକିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଆପରାଧିକ ମାମଲା କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯିବା ନାଁ ତାହା ସ୍ଥିର ହେବା ପଯ୍ୟନ୍ତ ଯାଞ୍ଚ ଅଟକାଇବାକୁ କୁହାଯାଇଛି। ଜଷ୍ଟିସ୍‌ ସଞ୍ଜୟ କିଶାନ କୌଲ ଏବଂ ଏମ୍‌. ଏମ୍‌. ସୁନ୍ଦରେଶଙ୍କ ଖଣ୍ଡପୀଠ କହିଛନ୍ତି, ରାଜ୍ୟ ସରକାର ଓ ପରମବୀରଙ୍କ ମଧ୍ୟରେ ଲାଗିଥିବା ବିବାଦକୁ ଦୁର୍ଭାଗ୍ୟଜନକ କହିବା ସହ ଏଥିଯୋଗୁ ପୋଲିସ ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସ ତୁଟିପାରେ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆଇନର ପ୍ରକ୍ରିୟା ଠିକ୍‌ ଉପାୟରେ ଚାଲିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପରମବୀରଙ୍କ ବିରୋଧରେ ସମସ୍ତ ପ୍ରକାର ତଦନ୍ତ ରୋକିବା ସହ ସର୍ବୋଚ୍ଚ ଅଦାଲତ ଚାର୍ଜସିଟ୍‌ ଫାଇଲ ନ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୯ରେ ହେବ। ସିବିଆଇକୁ ମାମଲା ହସ୍ତାନ୍ତର ଉପରେ ନିଷ୍ପତ୍ତି ନ ନିଆଯିବା ଯାଏ ମହାରାଷ୍ଟ୍ର ସରକାର ଏଥିରୁ ନିଜକୁ ଦୂରେଇ ରହିବାକୁ ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମୁମ୍ବାଇର ପୂର୍ବତନ ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Share