ନିର୍ମାଣାଧୀନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ

ହିଞ୍ଜିଳିକାଟୁ,୭ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶନିବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣାଧୀନ କାର୍ଯ୍ୟଗୁଡିକୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ଜିଲାପାଳ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ବହିଃ ଓ ଅନ୍ତଃବିଭାଗ କାର୍ଯ୍ୟ, ରୋଗୀ ସେବା ସହ ୫ଟି ଅଧୀନରେ ହେବାକୁ ଥିବା ମୋ’ ହସ୍ପିଟାଲ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଚିକିତ୍ସାଳୟ ଭାରପ୍ରାପ୍ତ ଅଧୀକ୍ଷକ ଡା. ପ୍ରତିଭା ପାତ୍ରଙ୍କ ସହ ଆଲୋଚନା କରିଥିଲେ। ଚିକିତ୍ସାଳୟ ନିକଟରେ ମିଶନଶକ୍ତି କାଫେ ନିର୍ମାଣ, ଆହାର କେନ୍ଦ୍ର ସ୍ଥାପନ ସହ ଅକ୍ସିଜେନ ପ୍ଲାଣ୍ଟ କେନ୍ଦ୍ର ନିର୍ମାଣ ଦିଗରେ ଆବଶ୍ୟକୀୟ ଭିତ୍ତିଭୂମି ପରଖିଥିଲେ। ସେଠାରୁ ସ୍ଥାନୀୟ ବିଜ୍ଞାନ ସ୍ବୟଂଶାସିତ ମହାବିଦ୍ୟାଳୟ ବୁଲି ଦେଖିବା ସହ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ମୋ କଲେଜ ଯୋଜନାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ସ୍ବସ୍ତିକା ପାଢ଼ୀଙ୍କ ସହ ଆଲୋଚନା କରିଥିଲେ। ୫ ନଂ ଓ୍ବାର୍ଡ ପାଟଣା ସାହିରେ ନିର୍ମାଣାଧୀନ ଫେବର ରାସ୍ତା ଓ ଡ୍ରେନ୍‌ କାର୍ଯ୍ୟ ବୁଲି ଦେଖିଥିଲେ। ସେଠାରୁ ବସ୍‌ ଟର୍ମିନାଲ ନିକଟରେ ଶେଷ ପର୍ଯ୍ୟାୟରେ ନର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସ (ସାଉଥ ବ୍ଲକ୍‌ ) ବୁଲି ଦେଖିବା ସହ ତୁରନ୍ତ ପୌରପାଳିକାକୁ ହସ୍ତାନ୍ତର ପାଇଁ କହିଥିଲେ। ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା ଯାଇ ଖାମ୍ବେୟାଦୋରା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ବୁଲି ଦେଖିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ମୋ’ କଲେଜ ଯୋଜନାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ପରାମର୍ଶ ଦେଇଥିଲେ।

ଜିଲାପାଳଙ୍କ ଏହି ଗସ୍ତ ସମୟରେ ବିଡିଓ ସୁବ୍ରତ କୁମାର ଜେନା, ପୌର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ବିଡିଏ ସେକ୍ରେଟାରୀ ସମ୍ବିତ ରାଉତରାୟ, ତହସିଲଦାର ସୁନିଲ କୁମାର ପ୍ରଧାନ, ଆଇଆଇସି ଶ୍ରୀନିବାସ ସେଠୀ, ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଗ୍ରୀଟ୍‌ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଜେଡି ନଗର ସଭାପତି ଭୀମସେନ ବେହେରା, ପ୍ୟାରୀମୋହନ ପାଢ଼ୀ, ଜନସ୍ବାସ୍ଥ୍ୟ ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ରୀଧର ଦାଶଙ୍କ ସମେତ ବହୁ କାଉନସିଲର ଉପସ୍ଥିତ ଥିଲେ।

Share