ଦୁର୍ଗାପୂଜା ପୂର୍ବରୁ ଖାଲଖମା ମରାମତି ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୮।୧୦ (ବନ୍ଦନା ସେଠୀ)ଦୁର୍ଗାପୂଜା ଓ ଭସାଣି କିପରି ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହେବ ସେନେଇ ଶନିବାର ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରି ପୂଜା ପୂର୍ବରୁ ରାସ୍ତାରେ ଥିବା ଖାଲଖମାଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ପରାମର୍ଶ ଦେଇଥିଲେ। ମୁକୁଳା ଡ୍ରେନ ଉପରେ ସ୍ଲାବ୍‌ ପକାଇବା, ବିଦ୍ୟୁତ୍‌ ଆଲୋକ ଏବଂ ଆବଶ୍ୟକସ୍ଥଳେ ଗଛ କାଟିବା କାମ ତୁରନ୍ତ ସାରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ପୂଜା କମିଟିଗୁଡିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ମଣ୍ଡପ ନିକଟରେ ବାଲି ବସ୍ତା ମହଜୁଦ୍‌ ରଖିବେ। କୌଣସି ଘଟଣା ଘଟିଲେ, ତାକୁ କିପରି ମୁକାବିଲା କରାଯିବ ସେ ନେଇ ସବୁ ପୂଜା କମିଟିର ସ୍ବେଚ୍ଛାସେବୀଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ବତନ୍ତ୍ର ତାଲିମ ଦିଆଯିବ। ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବା ପାଇଁ ପୂଜା କମିଟି ଗାଡି ପାର୍କିଂ ପାଇଁ ବଡବଡ ସ୍ଥାନ ନିରୂପଣ କରିବା ସହ ଅଧିକ ସଂଖ୍ୟାରେ ସ୍ବେଚ୍ଛାସେବୀ ଯୋଗାଇ ଦେବେ। ଏଡିୟୁପିଏଚ୍‌ଓ ପୂଜା ମଣ୍ଡପଗୁଡିକ ପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍‌ ନିୟୋଜିତ କରିବେ। ବଡବଡ ପୂଜା ମଣ୍ଡପରେ ଗୋଟିଏ ଲେଖାଏ ସହଯୋଗ କେନ୍ଦ୍ର କରି ସ୍ବଚ୍ଛତା ବାର୍ତ୍ତା ଦେବା ସହିତ ଦର୍ଶନାର୍ଥୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ମେୟର କହିଥିଲେ।
ଭସାଣି ସମୟରେ ମେଢଗୁଡିକ ଯିବା ପାଇଁ ରାସ୍ତା ସଫା କରିବା, ବଡ ପୂଜା ମଣ୍ଡପ ନିକଟରେ ଅସ୍ଥାୟୀ ଟଏଲେଟ୍‌ ଏବଂ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବା, ଭସାଣି ଦିନ ବାଣୀବିହାରଠାରୁ ରାଜ ମହଲ ଛକ ମଧ୍ୟରେ ୪ଟି ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ। ଏହାସହ ମଣ୍ଡପଗୁଡିକରେ ମହିଳା ସ୍ବେଚ୍ଛାସେବୀ ନିୟୋଜନ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। କମିଶନର ବିଜୟ ଅମୃତା କୁଲାଙ୍ଗେ ଚଳିତ ବର୍ଷ ପୂଜା ଥିମ୍‌ ‘ସ୍ବଚ୍ଛ, ସବୁଜ ଏବଂ ପ୍ଲାଷ୍ଟିକ ମୁକ୍ତ ଭୁବନେଶ୍ୱର’ କରିବାକୁ ଅନୁରୋଧ କରିଥିଲେ। ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ, ଦୟା ଏବଂ ରଘୁନାଥପୁର ନିକଟରେ ଅଧିକ ବଡ ବଡ ପୋଖରୀ ଖୋଳାଯିବ। ମୂର୍ତ୍ତିଗୁଡିକ ବଡ ହୋଇଥିବାରୁ ସେଗୁଡିକୁ ହାତରେ ଟେକି ନେଇ ବିସର୍ଜନ କରିବାରେ ଅସୁବିଧା ହେଉଛି। ତେଣୁ ବିଏମ୍‌ସି ପକ୍ଷରୁ ୨ଟି ଜେସିବି ଯୋଗାଇ ଦେବାକୁ କମିଶନର ସୁପାରିସ କରିଥିଲେ। ବୈଠକରେ ବିଏମ୍‌ସିର ସମସ୍ତ ଅଧିକାରୀ, ଟ୍ରାଫିକ୍‌ ପୋଲିସ, ଅଗ୍ନିଶମ ବିଭାଗ, ୱାଟ୍‌କୋ, ଟିପିସିଓଡିଏଲ୍‌, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପୁର୍ତ୍ତ ବିଭାଗ, ପୋଲିସ, ଓଡ୍ରାଫ, ୱାଟ୍‌କୋ, ଆଦି ସଂଯୁକ୍ତ ବିଭାଗର ଅଧିକାରୀ ଯୋଗଦେଇଥିଲେ।

Share