ଘରୋଇ ହସ୍ପିଟାଲ ସ୍ଥିତି ପରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟ ଜାରିରହିଛି। ସ୍ବାସ୍ଥ୍ୟକର୍ମୀ, କୋଭିଡ୍‌ ଯୋଦ୍ଧା, ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ କରାଯାଉଛି। ସମସ୍ତ ସରକାରୀ ହସ୍ପିଟାଲ ସମେତ କେନ୍ଦ୍ର ସ୍ବାସ୍ଥ୍ୟ ଯୋଜନା (ସିଜିଏଚ୍‌ଏସ୍‌) ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କଓ୍ବୋଇ) ସହ ସହବନ୍ଧିତ ଘରୋଇ ହସ୍ପିଟାଲଗୁଡ଼ିକରେ ଟିକାକରଣ କେନ୍ଦ୍ର ଖୋଲା ଯାଇଛି। ତେବେ ଏହା ପର୍ଯ୍ୟାପ୍ତ ନ ହେବାରୁ ସରକାର ରାଜ୍ୟରେ ଥିବା ସମସ୍ତ ଘରୋଇ ହସ୍ପିଟାଲରେ କୋଭିଡ୍‌ ଟିକାକରଣ କେନ୍ଦ୍ର(ସିଭିସି) ଖୋଲିବାକୁ ଯୋଜନା କରିଛନ୍ତି। ତେବେ ଏଥିପାଇଁ କେତେକ ସର୍ତ୍ତ ରଖାଯାଇଛି। ଘରୋଇ ହସ୍ପିଟାଲରେ ପର୍ଯ୍ୟାପ୍ତ କୋଲ୍ଡ ଚେନ୍‌ ଇକ୍ୟୁପ୍‌ମେଣ୍ଟ ସୁବିଧା ଥିବ, ଟିକାକରଣ ପରେ ଅପେକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ହଲ୍‌ ସୁବିଧା ଥିବ, ଟିକାକରଣ ପାଇଁ ଅଧିକ ସଂଖ୍ୟାରେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ଓ ଟିକାକରଣ ପରେ ଯଦି କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ ତେବେ ସେଥିପାଇଁ ସମ୍ପୃକ୍ତ ହସ୍ପିଟାଲର ଦକ୍ଷତା ଥିବା ଆବଶ୍ୟକ। ଜିଲାଗୁଡ଼ିକରେ ଉକ୍ତ ସୁବିଧା ଥିବା ଘରୋଇ ହସ୍ପିଟାଲଗୁଡ଼ିକୁ ଟିକାକରଣ ପାଇଁ ଅନୁମତି ଦିଆଯିବ। ସେହି ହସ୍ପିଟାଲଗୁଡ଼ିକୁ ଚିହ୍ନଟ କରିବାକୁ ଜିଲାପାଳ, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ କମିଶନରଙ୍କୁ ମଙ୍ଗଳବାର ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖି ଜଣାଇଛନ୍ତି। ଘରୋଇ ହସ୍ପିଟାଲଗୁଡ଼ିକର ଫିଜିବିଲିଟି ଷ୍ଟଡି କରି ଖୁବ୍‌ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ପାଇବା ପରେ ସମ୍ପୃକ୍ତ ହସ୍ପିଟାଲଗୁଡ଼ିକୁ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ର ଭାବେ ଘୋଷଣା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।

Share