ଖାଲିଥିବା ଅକ୍ସିଜେନ୍‌ ସିଲିଣ୍ଡର ଭର୍ତ୍ତି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଉତ୍ସର୍ଗୀକୃତ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ର (ଡିସିଏଚ୍‌ସି), ଉତ୍ସର୍ଗୀକୃତ କୋଭିଡ୍‌ ହସ୍ପିଟାଲ (ଡିସିଏଚ୍‌) ଏବଂ କୋଭିଡ୍‌ କେୟାର ସେଣ୍ଟର(ସିସିସି)ଗୁଡ଼ିକରେ ଥିବା ଖାଲି ଅକ୍ସିଜେନ ସିଲିଣ୍ଡରକୁ ତୁରନ୍ତ ଭର୍ତ୍ତି କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏ ନେଇ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ସରକାରୀ ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି। ଆଗକୁ ଡିସିଏଚ୍‌ସି, ଡିସିଏଚ୍‌ ଓ ସିସିସିରେ ଅକ୍ସିଜେନ ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସ୍ବତନ୍ତ୍ର ପଦ୍ଧତି ଆପଣାଇବାକୁ କୁହାଯାଇଛି। ଜିଲାର ଡ୍ରଗ୍‌ ଇନ୍ସପେକ୍ଟର ଖାଲି ସିଲିଣ୍ଡରଗୁଡ଼ିକ ନିର୍ଦ୍ଧାରିତ ଫିଲରଙ୍କ ନିକଟକୁ ଠିକ୍‌ ସମୟରେ ପଠାଇ ନିଶ୍ଚିତ କରାଇବେ ଓ ଫିଲର ମଧ୍ୟ ଠିକ୍‌ ସମୟରେ ଅକ୍ସିଜେନ ଭର୍ତ୍ତି କରି ପ୍ରତିପକ୍ଷଙ୍କୁ ଜଣାଇବେ। ମେଡିକାଲ ଅଧୀକ୍ଷକ/ସିଡିଏମ୍‌ଓ ଏବଂ ପିଏଚ୍‌ଓଙ୍କ ପରାମର୍ଶରେ ଡ୍ରଗ ଇନ୍ସପେକ୍ଟର ୩ ରୁ ୪ ସିସିସି ପାଇଁ ଏକ ସଂଗ୍ରହ ପଏଣ୍ଟ ଚିହ୍ନଟ କରିବେ ଓ ପ୍ରତ୍ୟେକ ସଂଗ୍ରହ ପଏଣ୍ଟରେ ପରିବହନ ଯାନ ପ୍ରସ୍ତୁତ ରଖିବେ। ଏଥିସହ ଜିପିଏସ୍‌ ଟ୍ୟାଗିଂ ପାଇଁ ସ୍ଥାନୀୟ ଡ୍ରଗ୍‌ ଇନ୍ସପେକ୍ଟରଙ୍କୁ ଏହି ଯାନଗୁଡ଼ିକର ସମ୍ପୂର୍ଣ୍ଣ ତଥ୍ୟ ଦେବା ଜରୁରୀ ବୋଲି ଚିଠିରେ ଲେଖାଯାଇଛି।

Share