ଗାଁ ମୁହାଁ କରୋନା: ଘରକୁ ଘର ଯାଇ ସ୍କ୍ରିନିଂ, କୋଭିଡ୍‌ କମିଟି ଗଠନ ନିର୍ଦ୍ଦେଶ

ଛତ୍ରପୁର,୧୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନାର ଦ୍ବିତୀୟ ଲହର ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ କରୋନା ଗ୍ରାମାଞ୍ଚଳ ମୁହାଁ ହେଲାଣି । ତେଣୁ ଘରକୁ ଘର ବୁଲି ଜନ ସାଧାରଣଙ୍କ ଅକ୍ସିଜେନ ସ୍ତର ଏବଂ ଥର୍ମାଲ ସ୍କ୍ରିନିଂ କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ଉପରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱ ଆରୋପ କରିଛନ୍ତି । ଏଏନ୍‌ଏମ୍‌, ଆଶାକର୍ମୀ ଏବଂ ଅଙ୍ଗନଓ୍ବାଡି କର୍ମୀଙ୍କୁ ନେଇ ଉପଜିଲାପାଳମାନେ ଏକଟିମ୍‌ ଗଠନ କରି ଘରକୁ ଘର ବୁଲି ଏକ୍ସିଜେନ ସ୍ତର ଏବଂ ଥର୍ମାଲ ସ୍କ୍ରିନିଂ କରିବାକୁ କୁହାଯାଇଛି । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅକ୍ସି ମିଟର ଏବଂ ଥର୍ମୋମିଟର ଯୋଗାଇ ଦେବାପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳରେ କୋଭିଡ କମିଟିକୁ ସଶକ୍ତିକରଣ କରିବା ପାଇଁ ଜିଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ଗଡ଼ିକରେ କୋଭିଡ କମିଟି ମିଟିଂ କରି ଜନସାଧାରଣଙ୍କୁ ସଚେତନ କରାଇବେ ।

Share