ମୂଳ ସାର୍ଟିଫିକେଟ୍‌ ପାଇଁ ଅଣ୍ଡରଟେକିଂ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ଯୁକ୍ତ୩ ନାମଲେଖା ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ବତ୍ତର୍ମାନ କୋଭିଡ୍‌-୧୯ ମହାମାରୀ ପାଇଁ ଛାତ୍ରୀଛାତ୍ରଙ୍କୁ ଅରିଜନାଲ ମାର୍କଶିଟ୍‌, ସାର୍ଟିଫିକେଟ୍‌, ମାଇଗ୍ରେଶନ ସାର୍ଟିଫିକେଟ୍‌ ଇତ୍ୟାଦି ମିଳିବାରେ ବିଳମ୍ବ ହେଉଛି। ଫଳରେ ନାମଲେଖା ସମୟରେ ତଥ୍ୟ ଯାଞ୍ଚବେଳେ ଛାତ୍ରୀଛାତ୍ରମାନେ ଅରିଜନାଲ ଡକ୍ୟୁମେଣ୍ଟ ଦେଖାଇପାରିବେ ନାହିଁ। ତେଣୁ ନାମଲେଖା ସମୟରେ ଡିଗ୍ରୀ କଲେଜଗୁଡ଼ିକ ଛାତ୍ରୀଛାତ୍ରଙ୍କଠାରୁ ଡାଉନଲୋଡ୍‌ ହୋଇଥିବା ମାର୍କଶିଟ୍‌ ଓ ଅଣ୍ଡରଟେକିଂ ନେଇପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ସୋମବାର ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।
ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, କଲେଜଗୁଡ଼ିକ ସିଏଚ୍‌ଏସ୍‌ଇ ହେଉ କିମ୍ବା ସିବିଏସ୍‌ଇ ବା ଆଇସିଏସ୍‌ଇ ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ଅରିଜନାଲ ମାଇଗ୍ରେଶନ ସାର୍ଟିଫିକେଟ୍‌ ଦେବା ପାଇଁ ବାଧ୍ୟ କରିପାରିବେ ନାହିଁ। ଛାତ୍ରୀଛାତ୍ରମାନେ ନାମଲେଖା ସମୟରେ ଅଧ୍ୟକ୍ଷ କିମ୍ବା ଆଡ଼ମିଶନ ଇନ୍‌ଚାର୍ଜଙ୍କ ଉଦ୍ଦେଶ୍ୟରେ ଏକ ଅଣ୍ଡରଟେକିଂ ଦେବେ। ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ଛାତ୍ରୀଛାତ୍ରମାନେ ନାମଲେଖାର ୧୨ ମଧ୍ୟରେ ଅରିଜନାଲ ମାର୍କଶିଟ୍‌ ଓ ସାର୍ଟିଫିକେଟ୍‌ ଦେବେ ବୋଲି ଉକ୍ତ ଅଣ୍ଡରଟେକିଂରେ ଉଲ୍ଲେଖ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁମାନେ ମନୋନୀତ ହୋଇଥିବେ ସେମାନେ ୫ଦିନ ମଧ୍ୟରେ ଦାଖଲ କରିବେ। ଯଦି ସାର୍ଟିଫିକେଟ ଦାଖଲ କରିବା ପାଇଁ ନାମଲେଖା ଦିନଠାରୁ ମାସେ ଅତିକ୍ରମ କରିଯିବ, ସେମାନଙ୍କ ନାମଲେଖା ବାତିଲ ହୋଇଯିବ। ଯଦି କୌଣସି କାରଣରୁ ଛାତ୍ରୀଛାତ୍ରମାନେ ନାମଲେଖା ପାଇଁ ଯାଇପାରିବେ ନାହିଁ, ତେବେ ସେ କ୍ଷେତ୍ରରେ ଅଭିଭାବକ କିମ୍ବା କୌଣସି ଅଧିକୃତ ବ୍ୟକ୍ତି ସେହି ପିଲାଙ୍କର ନାମଲେଖା ପାଇଁ ଯାଇପାରିବେ। କିନ୍ତୁ ସେ କ୍ଷେତ୍ରରେ ମଧ୍ୟ ଛାତ୍ରୀଛାତ୍ର ଏକ ଅଣ୍ଡରଟେକିଂ ଦେବେ। ଯଦି କଲେଜ କର୍ତ୍ତୃପକ୍ଷ ଡାଉନଲୋଡ୍‌ ହୋଇଥିବା ମାର୍କଶିଟ୍‌ ବା କାଷ୍ଟ ସାର୍ଟିଫିକେଟ୍‌ରେ ଜାଲ୍‌ ଥିବା ଜାଣିବେ, ସେ କ୍ଷେତ୍ରରେ ନାମଲେଖା ପାଇଁ ଅନୁମତି ଦେଇ ନ ପାରନ୍ତି ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି।

Share