Categories: ମେଟ୍ରୋ

୭ ସପ୍ତାହରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ

ନିଆଳି,୧୮ା୫(ଡି.ଏନ୍‌.ଏ.): ସରକାରଙ୍କ ନିକଟରେ ଭୁଲ୍‌ ତଥ୍ୟ ଉପସ୍ଥାପନ କରାଯାଇ ନିଆଳି ପଞ୍ଚାୟତ ଅଧୀନ ଦିନାସିଂହପାଟଣା ପ୍ରାଥମିକ ବିଦ୍ୟାଳୟକୁ ବିଦ୍ୟାଳୟ ମିଶ୍ରଣ ଯୋଜନାରେ ନିଆଳି ହାଇସ୍କୁଲ ସହିତ ମିଶାଇ ଦିଆଯାଇଥିଲା। ଏ ସମ୍ପର୍କରେ ଜଣାପଡିବା ପରେ ଦିନାସିଂହପାଟଣା, ବାରବୋଡିଆ, ହରିଶପୁର ଗ୍ରାମବାସୀ ଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଜଣାଇଥିଲେ। ହେଲେ ଏନେଇ କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ହାଇକୋର୍ଟରେ ପିଟିଶନ ଦାୟର କରିଥିଲେ। ହାଇକୋର୍ଟ ଏହି ମାମଲାର ବିଚାର କରି ୭ ସପ୍ତାହ ମଧ୍ୟରେ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ ସହିତ ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଆଇନଜୀବୀ ନିତ୍ୟାନନ୍ଦ ବେହୁରିଆ ମାମଲା ପରିଚାଳନା କରିଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ନେଇ ଗ୍ରାମବାସୀ ଓ ଛାତ୍ରୀଛାତ୍ର ଖୁସିବ୍ୟକ୍ତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦ ଜଣରୁ କମ୍‌ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟକୁ ନିକଟସ୍ଥ ସ୍କୁଲରେ ମିଶ୍ରଣ କରିବା ପାଇଁ ୨୦୨୦ରେ ସରକାର ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଦିନାସିଂହପାଟଣା ପ୍ରାଥମିକ ବିଦ୍ୟାଳୟକୁ ନିଆଳି ହାଇସ୍କୁଲ ସହିତ ମିଶ୍ରଣ କରାଯାଇଥିଲା। ଉକ୍ତ ସ୍କୁଲରେ ଉପରୋକ୍ତ ୩ଟି ଗ୍ରାମର ୩୬ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଯାଞ୍ଚ କମିଟି ସ ରକାରଙ୍କ ନିକଟରେ ଭୁଲ୍‌ ତଥ୍ୟ ଉପସ୍ଥାପନ କରିବାରୁ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଥିଲା। ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସିଂଙ୍କ ସମେତ ଗ୍ରାମବାସୀ ଏ ସମ୍ପର୍କରେ ଜାଣିବା ପରେ ଜିଲାପାଳ, ଜିଲା ଓ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା। ଉକ୍ତ କମିଟି ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ପରେ ୩୬ ଜଣ ଛାତ୍ରୀଛାତ୍ର ପଢୁଥିବା ଜାଣିବାକୁ ପାଇଥିଲା। ପରେ କମିଟିର ସଦସ୍ୟମାନେ ପତ୍ରସଂଖ୍ୟା ୧୭୮/୧୫ା୧ା୨୦୨୨ରେ ଉକ୍ତ ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ ନ କରିବା ପାଇଁ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ଏହାପରେ ଜିଲାପାଳ ପତ୍ରସଂଖ୍ୟା ୨୪୬୮/୧୪ା୭ା୨୦୨୨ରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଓସେପାକୁ ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଓସେପା କିମ୍ବା ସରକାରଙ୍କ ନିକଟରୁ ବିଦ୍ୟାଳୟ ଖୋଲିବା ପାଇଁ କୌଣସି ନିର୍ଦ୍ଦେଶ ନ ଆସିବାରୁ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share