୪ ସପ୍ତାହରେ ଜବାବ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୨। ୯(ବ୍ୟୁରୋ): ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ କାହିଁକି ଲାଗୁ ହୋଇନି। ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ଦାଲଖ କରିବାକୁ ସୁପ୍ରିମକୋର୍ଟ ଓଡିଶା ସମେତ ୪ ରାଜ୍ୟ ତେଲଙ୍ଗାନା, ପଶ୍ଚିମବଙ୍ଗ ଓ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇ ନ ଥିବାରୁ ପି. ଶେଖର ରାଓ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ରିଟ୍‌ ପିଟିଶନ ଦାଖଲ କରିଥିଲେ। ଗୁରୁବାର ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ହିତେନ୍ଦ୍ର ରଥ ସୂଚନା ଦେଇଛନ୍ତି।
ପୁଣିଥରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ଯୋଜନାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏହି ଘଟଣାକୁ ନେଇ ଭାଜପା ଏମ୍‌ପି  ବସନ୍ତ ପଣ୍ଡା କହିଛନ୍ତି, ସୁପ୍ରିମ କୋର୍ଟଙ୍କ ରିପୋର୍ଟ ତଲବ ପରେ ରାଜ୍ୟ ସରକାର ଏହି ଯୋଜନାକୁ ତୁରନ୍ତ ଓଡିଶାରେ ଲାଗୁ କରନ୍ତୁ । କଂଗ୍ରେସ ଏମ୍‌ପି ସପ୍ତଗିରି ଉଲ୍ଲାକା କହିଛନ୍ତି, ଲୋକଙ୍କ ସ୍ବାର୍ଥ ନୁହେଁ ଶ୍ରେୟ ନେବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। କାଳିଆକୁ ପିଏମ୍‌-କିଷାନ ଯୋଜନା ସହିତ ସରକାର ମିଶ୍ରଣ କରି ସାରିଛନ୍ତି। ସେହିଭଳି ଆୟୁଷ୍ମାନ ଭାରତକୁ ରାଜ୍ୟ ଯୋଜନାରେ ମିଶାଇ ଦେବାକୁ ଚାହୁଁଛନ୍ତି। ଆୟୁଷ୍ମାନ ଭାରତ ରାଜ୍ୟରେ ଲାଗୁ ହୋଇଥିଲେ ଲୋକମାନେ ଫାଇଦା ପାଇଥାଆନ୍ତେ। ଏହା ଅତ୍ୟନ୍ତ ପରିତାପର ବିଷୟ ବୋଲି ସେ କହିଛନ୍ତି।

Share