Categories: ଜାତୀୟ

ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଘଟଣାରେ ୬ଘଣ୍ଟାରେ ଏତଲା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬ା୮: କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦେଳାନ ଜାରି ରହିଛି। ଡ୍ୟୁଟିରେ ଥିବା କୌଣସି ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଘଟଣାରେ ୬ ଘଣ୍ଟା ମଧ୍ୟରେ ଏତଲା ଦାଏର କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟମାନଙ୍କୁ କୁହାଯାଇଛି।

ଏମ୍ସ ସମେତ ଦେଶର ସମସ୍ତ କେନ୍ଦ୍ରୀୟ ସରକାରୀ ହସ୍ପିଟାଲର ଡାକ୍ତର ଓ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ, ସମସ୍ତ ମେଡିକାଲ କଲେଜର ପ୍ରିନି୍ସପାଲଙ୍କୁ ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ (ଡିଜିଏଚ୍‌ଏସ୍‌) ଡ. ଅତୁଲ ଗୋଏଲ୍‌ ଏହି ମର୍ମରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହସ୍ପିଟାଲଗୁଡ଼ିକରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କ ପ୍ରତି ହିଂସା ଆଜିକାଲି ସାଧାରଣ ଘଟଣାରେ ପରିଣତ ହୋଇଥିବା ଲକ୍ଷ୍ୟ କରାଯାଇଛି। କର୍ତ୍ତବ୍ୟରତ କୌଣସି ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି ହିଂସାକାଣ୍ଡ ଘଟିଲେ, ସର୍ବାଧିକ ୬ ଘଣ୍ଟା ମଧ୍ୟରେ ଏତଲା ଦେବା ଅନୁଷ୍ଠାନ ମୁଖ୍ୟଙ୍କ ଦାୟିତ୍ୱ ବୋଲି ଉକ୍ତ ମେମୋରେ କୁହାଯାଇଛି।

Share