ଇ-ଏଫ୍‌ଆଇଆର ପଞ୍ଜୀକରଣ ମାମଲା: ଡିଜିପିଙ୍କୁ ସାନି ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୬ା୧: ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଇ-ଏଫ୍‌ଆଇଆର୍‌ ବ୍ୟବସ୍ଥା ରାଜ୍ୟରେ ଲାଗୁ କରିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଗୁରୁବାର ଶୁଣାଣି ହୋଇଛି। ପୂର୍ବ ନିର୍ଦ୍ଦେଶ ମୁତାବକ ଡିଜିପି ସୁନୀଲ କୁମାର ବଂଶଲ ଏକ ସତ୍ୟପାଠ ଦାଖଲ କରିଥିଲେ। ହାଇକୋର୍ଟ ଏଥିରେ ସନ୍ତୁଷ୍ଟ ନ ହୋଇ ସାନି ସତ୍ୟପାଠ ଦାଖଲ କରିବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠ ଜରିଆରେ ଡିଜିପି ଅଦାଲତଙ୍କୁ ଦର୍ଶାଇଛନ୍ତି, ଅନ୍ୟ ରାଜ୍ୟରେ ପୋଲିସ ବିଭାଗରେ ଇ-ଏଫ୍‌ଆଇଆର୍‌ ବ୍ୟବସ୍ଥା କିଭଳି ଲାଗୁ ହୋଇଛି ସେ ନେଇ ରିପୋର୍ଟ ମଗାଇଛୁ। ଉକ୍ତ ରିପୋର୍ଟ ଆସିବା ପରେ ତାହାକୁ ଅନୁଧ୍ୟାନ କରାଯାଇ ଓଡ଼ିଶା ପୋଲିସରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ପଦକ୍ଷେପ ନିଆଯିବ। ତାହା ପରବର୍ତ୍ତୀ ସମୟରେ କୋର୍ଟଙ୍କୁ ଜଣାଇବୁ ବୋଲି ସତ୍ୟପାଠରେ ସେ ଦର୍ଶାଇଛନ୍ତି। ହାଇକୋର୍ଟ ବିଚାରପତି ଏସ୍‌. କେ. ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ଏକ ମାସ ପରେ ଧାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଲୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ଆବେଦନକାରୀ ଝରଣାବାଳା ପାତ୍ରଙ୍କ ପକ୍ଷରୁ ଆଗତ ଏକ ମାମଲାର ଗତ ଡିସେମ୍ବର ୫ ତାରିଖ ଶୁଣାଣିବେଳେ କଟକ ସଦର ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଇକୋର୍ଟରେ ହାଜର ହୋଇଥିଲେ। ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ମହିଳା ହିଂସା ସମ୍ପର୍କିତ ମାମଲାଗୁଡ଼ିକର ପଞ୍ଜୀକରଣ ପାଇଁ ରାଜ୍ୟରେ ଇ-ଏଫ୍‌ଆଇଆର୍‌ ବ୍ୟବସ୍ଥା ପ୍ରଚଳନ ନିମନ୍ତେ ହାଇକୋର୍ଟ ଗୁରୁତ୍ୱାରୋପ କରିଥିଲେ। ଏନେଇ ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share