ଫେବୃୟାରୀ ୨୭ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ମଙ୍ଗୁଳି-ଜଗତପୁର,୧୩ା୧(ଡି.ଏନ.ଏ.): ଚୌଦ୍ୱାର ପୌରପାଳିକା ଅଧୀନ ୧୯ଟି ଓ୍ବାର୍ଡରେ ଉନ୍ନତି ଯୋଜନାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ବାବଦରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସୂଚନା ଅଧିକାର କର୍ମୀ ମନୋଜ ସାହୁ ଓ ଶ୍ରୀକାନ୍ତ ପାକଳ ଗତ ମେ’ରେ ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାଏର କରିଥିଲେ। ଲୋକାୟୁକ୍ତ ଏହାର ଶୁଣାଣି କରି ପ୍ରକଳ୍ପ ନିର୍ମାଣ ବାବଦରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଉତ୍ତର ରଖିବା ପାଇଁ ଚୌଦ୍ୱାର ପୌର ନିର୍ବାହୀ ଅଧିକାରୀ ଓ ମୁଖ୍ୟଯନ୍ତ୍ରୀଙ୍କୁ ନୋଟିସ୍‌ ଜାରି କରିଥିଲେ। କିନ୍ତୁ ଚୌଦ୍ୱାର ପୌରପାଳିକାର ପୂର୍ବତନ ନିର୍ବାହୀ ଅଧିକାରୀ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତାହା ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟ ସହ ତାଳମେଳ ନ ଥିଲା। ଫଳରେ ଲୋକାୟୁକ୍ତ ନିଜସ୍ବ ତଦନ୍ତ ବିଭାଗକୁ ଏହାର ତଦନ୍ତ କରି ଆସନ୍ତା ଫେବୃୟାରୀ ୨୭ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ୨୦୧୭ ଅଗଷ୍ଟରେ ସମସ୍ତ ପୌରପାଳିକା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନତି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ତଦନୁଯାୟୀ ଚୌଦ୍ୱାର ପୌରପାଳିକା ୧୯ଟି ୱାର୍ଡକୁ ଏହି ଯୋଜନାରେ ସାମିଲ କରାଯାଇ ବିଭିନ୍ନ ପ୍ରକଳ୍ପ ପାଇଁ ୪. ୭୫କୋଟି ଟଙ୍କା ଅନୁମୋଦନ କରାଯାଇଥିଲା। ସେଥିମଧ୍ୟରୁ ୩.୩୨କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି। କିନ୍ତୁ ଅଡିଟ୍‌ ରିପୋର୍ଟରେ ଅନୁମୋଦନ ଟଙ୍କା ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। କୌଣସି ପ୍ରକଳ୍ପ ନ କରି ୪୦ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ଉକ୍ତ ପ୍ରକଳ୍ପ ଅଧୀନରେ ୭, ୮, ୧୧, ୧୨ ନମ୍ବର ୱାର୍ଡରେ ଘରକୁ ଘର ସ୍ବଚ୍ଛ ଜଳ ଯୋଗାଇବା ପାଇଁ ଖର୍ଚ୍ଚର ହିସାବ ଦିଆଯାଇଛି। କିନ୍ତୁ ବାସ୍ତବିକ କ୍ଷେତ୍ରରେ ଏଠାରେ କୌଣସି ପାଇପ୍‌ ବିଛା ନ ଯାଇ କେବଳ କାଗଜ କଲମ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ବିଭିନ୍ନ ୱାର୍ଡରେ କମ୍ୟୁନିଟି ହଲ୍‌, ଶବଦାହ ଗୃହ, ପାଚେରି କରା ନ ଯାଇ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଛି ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏ ନେଇ ପୌର ନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Share