Categories: ଜାତୀୟ

ଅଭିଷେକ ବାନାର୍ଜୀଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ ଏବଂ ତାଙ୍କ ସ୍ତ୍ରୀ ରୁଜିରାଙ୍କ ନାଁରେ ଇସ୍ୟୁ ହୋଇଥିବା ଲୁକ୍‌ ଆଉଟ୍‌ ସର୍କୁଲାର (ଏଲ୍‌ଓସି) ପ୍ରତ୍ୟାହାର ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ବିଦେଶ ଯିବା ନେଇ ସପ୍ତାହେ ପୂର୍ବରୁ ଜଣାଇଲେ ଏଥିପାଇଁ ସୁବିଧା କରିଦିଆଯିବ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁଣାଣି ବେଳେ ଜଷ୍ଟିସ ଏସ୍‌.କେ. କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠଙ୍କୁ କହିଥିଲେ। କୋର୍ଟଙ୍କ ଅନୁମତିରେ ଅଭିଷେକ ଓ ରୁଜିରା ବିଦେଶ ଗସ୍ତରେ ଯାଉଥିବାବେଳେ କ’ଣ ପାଇଁ ସେମାନଙ୍କ ବିରୋଧରେ ଏଲ୍‌ଓସି ଜାରି ହେଲା ଜଣାଇବାକୁ ଗତ ୨୪ ତାରିଖରେ ସୁପ୍ରିମକୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ଇଡି ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁ ଉପସ୍ଥିତ ରହି ଜୁଲାଇ ୨୬ରୁ ଅଗଷ୍ଟ ୨୦ ମଧ୍ୟରେ ଅଭିଷେକ ଓ ରୁଜିରାଙ୍କୁ ବିଦେଶ ଯିବା ଲାଗି ଏଲ୍‌ଓସିରେ କୋହଳ କରାଯାଇଥିବା କୋର୍ଟଙ୍କୁ କହିଥିଲେ।

Share