ପାରାଦୀପ,୧।୨:(ଶରତ ରାଉତ)ପାରାଦୀପ ସାମୁଦ୍ରିକ ଥାନା ଅନ୍ତର୍ଗତ ମାଛଧରା ବନ୍ଦର ପରିସରରେ ବୁଧବାର ଜଣେ ଚିକେନ ବ୍ୟବସାୟୀ ସାଇବର ଠକେଇର ଶିକାର ହୋଇଛନ୍ତି। ଚିକେନ ଅର୍ଡର କରିବା ନଁାରେ ତାଙ୍କଠାରୁ ୨୦ ହଜାର ଟଙ୍କା ଠକି ନିଆଯାଇଛି। ଏ ନେଇ ସମ୍ପୃକ୍ତ ବ୍ୟବସାୟୀ ପ୍ରଶାନ୍ତ ନାଥ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ପ୍ରଶାନ୍ତଙ୍କୁ ବୁଧବାର ସକାଳ ପ୍ରାୟ ୬ଟାରେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ସେଥିରେ ଜଣେ ବ୍ୟକ୍ତି ନିଜକୁ ଆର୍ମି ଅଫିସର ବୋଲି ପରିଚୟ ଦେଇ ୨୦ କିଲୋ ଚିକେନ ଅର୍ଡର କରିଥିଲେ। ସେ କହିଥିଲେ ଆମେ ୧୫ ଦିନ ପାରାଦୀପରେ ରହିବୁ। ଦୈନିକ ୨୦ କେଜି ଲେଖାଏ ଚିକେନ ନେବୁ। ଏନେଇ ମୂଲଚାଲ ଫାଇନାଲ ହୋଇଥିଲା। ତା’ପରେ ସମ୍ପୃକ୍ତ ବ୍ୟକ୍ତି ପ୍ରଶାନ୍ତଙ୍କୁ ଚିକେନ ରେଡି କରି ୫ ଦିନର ବିଲ୍ ହ୍ବାଟ୍ସଆପ୍ରେ ପଠାଇବାକୁ କହିଥିଲେ। ସେ କହିଥିଲେ, ଟଙ୍କା ନେଇ ଆମ ଗାଡି ଯିବ। ତାକୁ ଚିକେନ ଦେଇଦେବ। ଏହାପରେ ପ୍ରଶାନ୍ତ ସକାଳ ୯ ଟା ସୁଦ୍ଧା ଚିକେନ କାଟି ଫୋନ କରିଥିଲେ। ସେଠାରୁ ଉତ୍ତର ମିଳିଲା ଆମେ ବ୍ୟାଙ୍କରେ ଅଛୁ। ତୁମ ଅନ୍ଲାଇନ୍ ଓ୍ବାଲେଟ୍ର ସ୍କାନର ପଠାଅ। ଆମେ ଟଙ୍କା ପଠାଇଦେବୁ। ପ୍ରଶାନ୍ତ ଉକ୍ତ ସ୍କାନର ଫଟୋ ପଠାଇବା ପରେ ସମ୍ପୃକ୍ତ ବ୍ୟକ୍ତି ଟଙ୍କା ଯାଉ ନ ଥିବା ଦର୍ଶାଇ ୧ ଟଙ୍କା ପଠାଇବାକୁ କହିଥିଲେ। ପ୍ରଶାନ୍ତ ଏହା ପଠାଇବା ପରେ ଜଣାପଡୁନାହିଁ ବୋଲି ଦର୍ଶାଇ ପୁନର୍ବାର ଆଉ ୫ ଟଙ୍କା ପଠାଇବାକୁ କହିଥିଲେ। ବିଶ୍ୱାସ କରି ପ୍ରଶାନ୍ତ ଉକ୍ତ ଟଙ୍କା ପଠାଇବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା କଟିଯାଇଛି। ତା’ପରଠାରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ସୁଇଚ୍ ଅଫ୍ ହୋଇଯାଇଛି। ପ୍ରଶାନ୍ତ ଠକାମିର ଶିକାର ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଅପରପକ୍ଷେ ପ୍ରଶାନ୍ତ କାଟିଥିବା ୨୦ କିଲୋ ଚିକେନ୍ ମଧ୍ୟ ନଷ୍ଟ ହୋଇଯାଇଛି ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏନେଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ବବିତା ଦଳେଇ କହିଛନ୍ତି।