ଯାଜପୁର ଅଫିସ,୨୫ା୫: ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବୋତଲଣ୍ଡା ଓ କରଗୋଳା ମୌଜାରେ ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରୁ ମେଶିନ ଲଗାଇ ଏକାଧିକ ଗଛ ବେଆଇନ ଭାବେ କଟାଯାଇଛି। ଏଥିପାଇଁ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଧାରା-୨କୁ ଉଲ୍ଲଂଘନ କରିବା ସହ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ବ୍ୟବହାର ପାଇଁ ଅନୁମତି ଦିଆଯାଇନାହିଁ। ଏହି କ୍ରମରେ ଯାଜପୁର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ (ଏଡିଏଚ୍) ଏବଂ ଜିଲାପାଳ ଦାୟିତ୍ୱହୀନ କାର୍ଯ୍ୟ କରିଛନ୍ତି। ଏଭଳି ବେଆଇନ କାର୍ଯ୍ୟ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏଥିସହ ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍ଓ) ଏବଂ ଯାଜପୁର ଜିଲାପାଳଙ୍କୁ ଜଙ୍ଗଲ ଜମିରେ ଲାଗିଥିବା ପିଜୁଳି ଚାରାଗୁଡ଼ିକୁ ଉପାଡ଼ି ଫିଙ୍ଗିଦେବାକୁ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ସୋମବାର ନିର୍ଦ୍ଦେଶ ଜାରି କରିଛନ୍ତି।
ଉଦ୍ୟାନକୃଷିର ବିକାଶ ନାମରେ ରାଜ୍ୟ ସରକାରଙ୍କ ଖୋଦ୍ ଉଦ୍ୟାନ ବିଭାଗ କର୍ତ୍ତୃପକ୍ଷ ଜଙ୍ଗଲର ବିନାଶ କରିଥିବା ଅଭିଯୋଗରେ ତପନ କୁମାର ବରାଳ ଏନ୍ଜିଟିର ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଡ୍ଭୋକେଟ ଶଙ୍କରପ୍ରସାଦ ପାଣିଙ୍କ ଜରିଆରେ ଏନ୍ଜିଟିରେ ଏକ ମାମଲା (ନଂ.୫୯/୨୦୨୧/ଇଜେଡ୍) ରୁଜୁ ହୋଇଥିଲା। ତେବେ ଜଷ୍ଟିସ ବି. ଅମିତ ସ୍ଥାଳେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତା ୧୮ା୮ା୨୦୨୧ରେ ଏହି ମାମଲାର ଶୁଣାଣି କରି ଏକ ତଦନ୍ତକାରୀ କମିଟି ଦ୍ୱାରା ୧ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ କମିଟିରେ ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଜଣେ ବୈଜ୍ଞାନିକ, ଯାଜପୁର ଜିଲାପାଳ ଏବଂ କଟକ ଡିଏଫ୍ଓ ରହିଥିଲେ। ଏନ୍ଜିଟିରେ ଏହି କମିଟି ୧୫ା୧୧ା୨୦୨୧ରେ ତଦନ୍ତ ରିପୋର୍ଟର ସତ୍ୟପାଠ ଦାଖଲ କରିଥିଲେ। ଉକ୍ତ ତଦନ୍ତ ରିପୋର୍ଟରେ ପିଜୁଳି ଚାରା ରୋପଣ ପାଇଁ ୫୫୦.୬୩ ଏକର ଜମି ଚିହ୍ନଟ ହୋଇଥିଲା। ସେଥିମଧ୍ୟରୁ ୨୦୭.୭୫ ଏକର ଜମି ହାଲ୍ ରେକର୍ଡରେ ବୋତଲଣ୍ଡା ମୌଜା ଅଧୀନରେ ରହିଥିବାବେଳେ ବାକି ଶାଳ ଜଙ୍ଗଲ ଜମି। କିନ୍ତୁ ଜଙ୍ଗଲ ପରିବର୍ତ୍ତନ ପାଇଁ କିମ୍ବା ଗଛ କାଟିବାକୁ କୌଣସି ପ୍ରସ୍ତାବ ଦିଆଯାଇ ନ ଥିଲା। ସୁକିନ୍ଦା ତହସିଲଦାରଙ୍କ ରିପୋର୍ଟ ଆଧାରରେ ବିଭିନ୍ନ ପ୍ରକାର ୬ଟି ବୃହତ୍ ବୃକ୍ଷ ରହିଥିଲା। ଦାମୋଦରପୁର, ବୋତଲଣ୍ଡା ଏବଂ କରଗୋଳା ମୌଜାରେ କୌଣସି ଗଛ ରହି ନ ଥିଲା ଏବଂ ତାହା ପତିତ ଜମି। କଟକ ଡିଏଫ୍ଓଙ୍କ ରିପୋର୍ଟ ଅନୁସାରେ ମଧ୍ୟ ଗଛ କାଟିବାକୁ କୌଣସି ଅନୁମତି ନିଆଯାଇ ନ ଥିଲା। ଗତ ୬ା୪ା୨୦୨୧ରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍ଏଫ୍)ର ଟ୍ରଷ୍ଟବୋର୍ଡ ବୈଠକରେ ୧,୦୩,୪୦୦ ପିଜୁଳି ଗଛ ଲଗାଇବାକୁ ସୁକିନ୍ଦା ବିହନ ଫାର୍ମର ୨୦୦ ଏକର ଜମି ପରିସରରେ ଅନୁମତି ମିଳିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ଅନ୍ୟପକ୍ଷେ ସୁକିନ୍ଦା ବିହନ ଫାର୍ମରେ ଏକ ଜର୍ମ ପ୍ଲାଜମ ସେଣ୍ଟର ନିର୍ମାଣ କରିବାକୁ ଡିଏମ୍ଏଫ୍ ପାଣ୍ଠିରୁ ପ୍ରାୟ ୯.୭୫ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଏନ୍ଜିଟିର ନିର୍ଦ୍ଦେଶ କାର୍ଯ୍ୟକାରୀ କରାଗଲେ ଡିଏମ୍ଏଫ୍ ପାଣ୍ଠି ପାଣିରେ ପଡିବ ବୋଲି ମତପ୍ରକାଶ ପାଇଛି।