ଭୁବନେଶ୍ୱର,୯ା୩(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ମାଗିଥିବା ସ୍ପଷ୍ଟୀକରଣକୁ ରାଜ୍ୟ ସରକାର ଦାଖଲ କରିଛନ୍ତି। ଏନେଇ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଅଧ୍ୟାଦେଶ କାର୍ଯ୍ୟକାରୀ କରିବାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ବିହିତ ପଦକ୍ଷେପ ନେବାକୁ ଏହି ଚିଠିରେ ଉଲ୍ଲେଖ ରହିଛି। ଅନୁମୋଦନ ମିଳିବା ପରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ଥିତ ଢଙ୍ଗରେ କରିବାରେ ରାଜ୍ୟପାଳ ସହାୟକ ହେବେ।
ସୂଚନାଯୋଗ୍ୟ, ଗତ ବର୍ଷ ଜଗନ୍ନାଥ ମନ୍ଦିର ଆଇନ ପରି ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ ଆଣିବାକୁ ମୁଖ୍ୟମନ୍ତ୍ରୀ ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ଆଇନ କରିବା ପାଇଁ କ୍ୟାବିନେଟ ମୋହର ବାଜିବା ପରେ ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ଏହାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଏହାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା । ତେବେ କେନ୍ଦ୍ର ସରକାର ଏହି ଅଧ୍ୟାଦେଶର ବିଭିନ୍ନ ଦିଗକୁ ନେଇ ସ୍ପଷ୍ଟୀକରଣ ମାଗିଥିଲେ।