Categories: ଜାତୀୟ

ଅନ୍ୟ ରାଜ୍ୟ ପାଇଁ କେନ୍ଦ୍ର ଆଣିବ ଅଧ୍ୟାଦେଶ

ନୂଆଦିଲ୍ଲୀ, ୧୨ା୬ : ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯଦି ଏବେ ଏହାକୁ ରୋକା ନ ଯାଏ, ତେବେ ଅନ୍ୟ ରାଜ୍ୟଗୁଡ଼ିକ ଲାଗି ମଧ୍ୟ ଅନୁରୂପ ଅଧ୍ୟାଦେଶ ଆସିବ ବୋଲି ସେ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ ମହାରାଲିରେ ସତର୍କ କରାଇଦେଇଛନ୍ତି। କେଜ୍‌ରିଓ୍ବାଲଙ୍କ ଏହି ମହା ସମାବେଶରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌, ଏଏପି ମନ୍ତ୍ରୀ ଓ ବହୁସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଦିଲ୍ଲୀ ଜନସାଧାରଣଙ୍କ ଅଧିକାରକୁ ଛଡ଼ାଇ ନେବା ଲାଗି ମୋଦି ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅକାମୀ କରିଦେଇଛନ୍ତି। ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ଦେଶର ଗଣତନ୍ତ୍ର ଶେଷ ହେବାକୁ ବସିଥିବା କେଜ୍‌ରିଓ୍ବାଲ କହିଛନ୍ତି। ଦିଲ୍ଲୀରେ ଏକଚ୍ଛତ୍ରବାଦ ଚାଲିବ ଏବଂ ଉପରାଜ୍ୟପାଳ ସର୍ବେସର୍ବା ହେବେ। ଜନସାଧାରଣ ଯାହାଙ୍କୁ ଭୋଟ ଦିଅନ୍ତୁ ନା କାହିଁକି, ଦିଲ୍ଲୀକୁ କେନ୍ଦ୍ର ଶାସନ କରିବ ବୋଲି କେଜ୍‌ରିଓ୍ବାଲ କହିଥିଲେ। ଜାତୀୟ ରାଜଧାନୀରେ କାମ ବନ୍ଦ କରିଦେବା ପାଇଁ ଏଏପି ନେତା ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଛି। ଆମ ପାଖରେ ଶହେ ସିସୋଡିଆ ଓ ଶହେ ଜୈନ ଅଛନ୍ତି। ସେମାନେ କାମ ଜାରି ରଖିବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଦ୍ରାସ୍ଫୀତି ଏବଂ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦର ବୃଦ୍ଧିକୁ ସେ ସମାଲୋଚନା କରିଛନ୍ତି।
ଭାଜପାକୁ ଭାରତୀୟ ଯୋଗାଡ଼ ପାର୍ଟି ବୋଲି ଅଭିହିତ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌ କହିଥିଲେ, ଅନ୍ୟ କୌଣସି ଦଳ ସରକାର ଗଢ଼ିବା ଭାଜପା ଚାହେଁ ନାହିଁ। କୌଣସି ରାଜ୍ୟରେ ଏହି ଦଳ ସରକାର ଗଢ଼ିବାରେ ବିଫଳ ହେଲେ, କୌଣସି ପ୍ରକାରେ କ୍ଷମତା ଦଖଲ ପାଇଁ ଯୋଗାଡ଼ କରିଥାଏ ବୋଲି ସେ କହିଛନ୍ତି। କେଜ୍‌ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଯଦି ସେ କାମ କରି ନ ପାରିବେ, ଅଫିସରଙ୍କୁ ନିର୍ଦ୍ଦେଶ ଦେଇ ନ ପାରିବେ କି ନିଲମ୍ବନ କରି ନ ପାରିବେ, ତେବେ ବ୍ୟବସ୍ଥା କିପରି ଚାଲିବ ବୋଲି ମାନ୍‌ ପ୍ରଶ୍ନ କରିଥିଲେ।

Share