ଜୈବିକ ଖତକୁ ପ୍ରୋତ୍ସାହନ ଲୋଡ଼ା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟକୁ ରାସାୟନିକ ସାର ଯୋଗାଣ ପର୍ଯ୍ୟାପ୍ତ ହେଉ ନ ଥିବାରୁ ବ୍ୟବହାର କମିବାରେ ଲାଗିଲାଣି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ମେଟ୍ରିକ ଟନ୍‌ ସାର ବ୍ୟବହାର ହ୍ରାସ ପାଇଥିବା ଜଣାଯାଇଛି। କୃଷିମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ସାର ଯୋଗାଇବା ନେଇ ବହୁବାର ଅନୁରୋଧ କଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ମିଳିପାରୁ ନାହିଁ। ଏଥିଯୋଗୁ ରାଜ୍ୟରେ କୃଷି ଉତ୍ପାଦନ କେତେକାଂଶରେ ପ୍ରଭାବିତ ହେଉଛି। ଏପରି ସ୍ଥିତିରେ ରାଜ୍ୟ ସରକାର ଜୈବିକ ଖତ ପ୍ରୟୋଗକୁ ଅଧିକ ପ୍ରୋତ୍ସାହିତ କରିବା ଦରକାର। ସାର ଚାହିଦାକୁ ମେଣ୍ଟାଇବା ସକାଶେ ଜୈବିକ ଖତ ପ୍ରସ୍ତୁତି ଓ ଯୋଗାଣକୁ ବ୍ୟବସ୍ଥିତ କରାଯାଇପାରିଲେ କୃଷି ଉତ୍ପାଦନର ଅଭାବକୁ ପୂରଣ କରାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ଓଡ଼ିଶାର ଚାଷୀମାନେ ୧୧,୫୨,୯୫୭ ମେଟ୍ରିକ ଟନ୍‌ ସାର ବ୍ୟବହାର କରିଥିବା ବେଳେ ୨୦୧୯-୨୦ ବର୍ଷରେ ଏହା ୧୧,୨୯,୦୫୯ ମେଟ୍ରିକ ଟନ୍‌କୁ ହ୍ରାସ ପାଇଥିଲା। ତେବେ ୨୦୨୦-୨୧ ଫେବୃୟାରୀ ଶେଷ ସୁଦ୍ଧା ଏହି ପରିମାଣ ୧୦ଲକ୍ଷ ୭୮ ହଜାର ମେଟ୍ରିକ ଟନ୍‌ରୁ ସାମାନ୍ୟ ଅଧିକ ରହିଥିଲା। କୃଷିଜାତ ଦ୍ରବ୍ୟ ଉତ୍ପାଦନରେ ଆଗୁଆ ଥିବା ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ କମ୍‌ ରାସାୟନିକ ସାର ବ୍ୟବହାର ହେଉଛି। ୨୦୧୧-୧୨ରେ ଓଡ଼ିଶାରେ ହେକ୍ଟର ପିଛା ୧୦୩.୭ କେଜି ସାର ବ୍ୟବହାର କରାଯାଉଥିବା ବେଳେ ୨୦୧୯-୨୦ରେ ୭୦.୬ କେଜିକୁ ଖସିଆସିଛି। ପଞ୍ଜାବ, ହରିୟାଣା, ତାମିଲନାଡୁ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ପ୍ରତି ହେକ୍ଟର ପିଛା ପ୍ରାୟ ୧୧୩ କେଜିରୁ ୨୪୨ କେଜି ପର୍ଯ୍ୟନ୍ତ ରାସାୟନିକ ସାର ବ୍ୟବହାର ହେଉଛି। ଏଠାରେ ରାଜ୍ୟ ସରକାର ରାସାୟନିକ ସାର ବଦଳରେ ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ରାସାୟନିକ ସାର ବ୍ୟବହାର କମ୍‌ ନେଇ ଚାଷୀ ବଳରାମ ପରିଡ଼ା କହିଛନ୍ତି ଯେ, ସାରର ଅତ୍ୟଧିକ ଦର ବୃଦ୍ଧି ଓ ଠିକଣା ସମୟରେ ଉପଲବ୍ଧ ନ ହେବାରୁ ଚାହିଁଲେ ବି ଅଧିକ ସାର ବ୍ୟବହାର କରିହେଉ ନାହିଁ। ଓଡ଼ିଶାରେ ଅଧିକ ଭାବରେ ବ୍ୟବହାର ହେଉଥିବା ୟୁରିଆ ଓ ଡିଏପି ଭଳି ସାରର ଦର ବଢ଼ିଥିବା ବେଳେ ଠିକଣା ସମୟରେ ଏହା ମିଳୁନାହିଁ। ଶୁକ୍ରବାର ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଲ୍ୟାମ୍ପ୍ସରେ ସାର ନେବା ପାଇଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଯେତିକି ସାର ଆସୁଛି ତାହାକୁ ଚାଷୀମାନଙ୍କୁ ବାଣ୍ଟିି ଦିଆଯାଉଥିବାରୁ ସେମାନେ ଅଧିକ ଫସଲ ଅମଳ ପାଇଁ ଚାହିଁଲେ ବି ସାର ବ୍ୟବହାର କରିପାରୁ ନାହାନ୍ତି।

ଅପରପକ୍ଷରେ ଓଡ଼ିଶାରେ ଆଶାନୁରୂପ ଜୈବିକ ସାର ବ୍ୟବହାର ହୋଇପାରୁ ନାହିଁ। ୨୦୧୮-୧୯ ବର୍ଷରେ ରାସାୟନିକ ସାର ତୁଳନାରେ ରାଜ୍ୟରେ ମାତ୍ର ୦.୧୮ ପ୍ରତିଶତ ଜୈବିକ ସାର ବ୍ୟବହାର ହୋଇଥିଲା। ଏଥିରେ ୯୯୫ ମେଟ୍ରିକ ଟନ୍‌ କଠିନଗୁଣ୍ଡ ଜୈବିକ ସାର ଓ ୧,୧୩୮ କିଲୋଲିଟର ତରଳ ଜୈବିକ ସାର ଥିଲା। ସେହିଭଳି ୨୦୧୯ -୨୦ବର୍ଷରେ ଉଭୟ କଠିନ ଓ ତରଳ ଜୈବିକ ସାର ବ୍ୟବହାରର ପରିମାଣ ଯଥାକ୍ରମେ ୯୭୫ ଟନ୍‌ ଓ ୧,୭୧୯ କିଲୋଲିଟର ଥିଲା। ଏହା ରାସାୟନିକ ସାର ତୁଳନାରେ ମାତ୍ର ୦.୨୪ ପ୍ରତିଶତ ରହିଥିଲା। ୨୦୨୦-୨୧ବର୍ଷରେ ଯଦିଓ କଠିନ ଓ ତରଳ ଜୈବିକ ସାର ବ୍ୟବହାର ପରିମାଣ ବୃଦ୍ଧିପାଇ ଯଥାକ୍ରମେ ୧,୪୦୪ ଟନ୍‌ ଓ ୫,୮୯୮ କିଲୋଲିଟରରେ ପହଞ୍ଚିଛି, ତାହା ରାସାୟନିକ ସାର ତୁଳନାରେ ମାତ୍ର ୧ ପ୍ରତିଶତ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷି ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବା କଥା ହେଲା ମାଟି ଏକ ସଜୀବ ପଦାର୍ଥ। ଏହାର ପୂର୍ଣ୍ଣ ଉର୍ବରତା ପାଇଁ ଯବକ୍ଷାରଜାନ, ଫସ୍‌ଫରସ, କ୍ୟାଲସିୟମ, ସଲ୍‌ଫର, ଲୌହ, ମାଙ୍ଗାନିଜ, ଜିଙ୍କ୍‌, ଗନ୍ଧକ, କପର, ମିଲିମିନିୟମ, କ୍ଲୋରିନ୍‌ର ଆବଶ୍ୟକତା ରହିଛି। ଗଛ ପାଇଁ ଏସବୁ ନିହାତି ଆବଶ୍ୟକ। ପୂର୍ଣ୍ଣ ପୌଷ୍ଟିକତା ଥିବା ମାଟିରୁ ଉତ୍ପାଦିତ ଶସ୍ୟ ଶରୀରର ସମସ୍ତ ଆବଶ୍ୟକତା ମେଣ୍ଟାଇଥାଏ। ପୂର୍ବକାଳରେ ଏସବୁ ଗୋବର ଖତ, ଧନିଚା ଚାଷ ଓ ଅନ୍ୟାନ୍ୟ ଜୈବିକ ଖତରୁ ମିଳିପାରୁ ଥିଲା। ସବୁଜ ବିପ୍ଳବ ଆରମ୍ଭ ହେବା ପରଠାରୁ ଅର୍ଥାତ୍‌ ୮୦ ଦଶକରୁ ଅଧିକ ଉତ୍ପାଦନ ପାଇଁ ଜମିବାଡ଼ିରେ ପ୍ରଚୁର ମାତ୍ରାରେ ରାସାୟନିକ ସାର ପ୍ରୟୋଗ ଚାଲିଛି। ଏହାର ଭୟାନକ ପ୍ରଭାବ ଏବେ ମାନବ ସ୍ବାସ୍ଥ୍ୟ ଉପରେ ପଡ଼ିଲାଣି ବୋଲି ସେ କହିଛନ୍ତି।

Share