ଲୋକଙ୍କୁ ଚାଲାଣ, ପୋଲିସକୁ ମାଫ୍‌

ବ୍ରହ୍ମପୁର ଅଫିସ୍‌,୧।୩: ବ୍ରହ୍ମପୁର ସହରରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇ ଟ୍ରିପଲ୍‌ ରାଇଡିଂ ଓ ମୋବାଇଲ୍‌ ଫୋନ୍‌ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଏଥିସହ ବାଇକ୍‌ ଚଳାଇବା ସମୟରେ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମକୁ ଉଲ୍ଲଂଘନ କରୁଥିବା ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଓ ଚାଲାଣ କଟାଯାଇଛି, କିନ୍ତୁ ପୋଲିସ୍‌ କ୍ଷେତ୍ରରେ ଏହା ଲାଗୁ ହୋଇ ନ ଥିବା ଏବେ ଦେଖିବାକୁ ମିଳିଛି।
ରବିବାର ପୂର୍ବାହ୍ନରେ ଏଭଳି ଏକ ଦୃଶ୍ୟ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ରାସ୍ତାରେ ଦେଖିବାକୁ ମିଳିଛି। ସ୍କୁଟି ନଂ.ଓଡ଼ି୦୭ଏକ୍ସ ୭୦୯୮ରେ ୩ ଜଣ ମହିଳା ପୋଲିସ୍‌ ବିନା ହେଲ୍‌ମେଟ୍‌ ଓ ମାସ୍କରେ ଗାଡ଼ି ଚଳାଇ ଯାଉଥିବା ଦୃଶ୍ୟ ଦେଖଣାହାରିଙ୍କୁ ଚକିତ କରିଛି। ଯେଉଁଠି ସାଧାରଣ ଲୋକଙ୍କ କ୍ଷେତ୍ରରେ ଏହି ନିୟମକୁ ପୋଲିସ୍‌ କଡ଼ାକଡ଼ି ଭାବେ ପାଳନ କରୁଛି। ଅନ୍ୟପଟେ ସେହି ନିୟମ ଉଲ୍ଲଂଘନ କରୁଥିବା ପୋଲିସ୍‌ଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ୍‌ କ୍ଷେତ୍ରରେ ମଧ୍ୟ ଜରିମାନା ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ଟ୍ରାଫିକ୍‌ ଥାନାଧିକାରୀ ସୁନୀଲ ବେହେରା କୁହନ୍ତି, ନିୟମ ସମସ୍ତଙ୍କ ପାଇଁ ସମାନ। ପୋଲିସ୍‌ କର୍ମଚାରୀ ଏହି ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share