ନୂଆଦିଲ୍ଲୀ,୧୭।୭: ସି.କେ. ବିର୍ଲା ଗ୍ରୁପ୍ର ଅଂଶ ବିଶେଷ ଓରିଏଣ୍ଟ ଇଲେକ୍ଟ୍ରିକ ଲିମିଟେଡ୍ ପକ୍ଷରୁ ୟୁଭି ସାନିଟେକ୍ର ବଜାର ପ୍ରବେଶ କରାଯାଇଛି। ଏହା ଏକ ବକ୍ସ ଆକୃତିର ସାନିଟାଇଜିଂ ଉପକରଣ। କରୋନା ଭାଇରସ୍, ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍ ଆଦିକୁ ଖୁବ୍ କମ୍ ସମୟ ମଧ୍ୟରେ ନଷ୍ଟ କରିବା ଦିଗରେ ଏହି ଉପକରଣଟି ସହାୟକ ହୋଇ ପାରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ସର୍ଟ୍ଟ ଓ୍ବେଭଲେନ୍ଥ ଅଲ୍ଟ୍ରା ଭାୟୋଲେଟ ୟୁଭିସି ଲାଇଟର ବ୍ୟବହାର କରାଯାଇଥାଏ। ୯୯.୯୯% ଭାଇରସ୍ ଏବଂ ବ୍ୟାକ୍ଟେରିଆଙ୍କୁ ଏହା ମାରିଥାଏ ବୋଲି ସୂଚନା ରହିଛି। ବର୍ତ୍ତମାନ ସମୟରେ ବାହ୍ୟ ବାତାବରଣ ସଂସ୍ପର୍ଶରେ ଆସୁଥିବା ଦୈନିକ ବ୍ୟବହାର୍ଯ୍ୟ ଜିନିଷ ଯଥା ମୋବାଇଲ, ଓ୍ବାଲେଟ, ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି, ଖାଦ୍ୟ ସାମଗ୍ରୀ, ମୁଦ୍ରା ଇତ୍ୟାଦିକୁ ନିଜ ଘର କିମ୍ବା ଅଫିସକୁ ଆଣିବାକୁ ଭୟ ଲାଗୁଛି। ନୂଆ ୟୁଭି ସାନିଟେକ ବ୍ୟବହାର କରି ସାମଗ୍ରୀଗୁଡିକୁ ସାନିଟାଇଜ କରିବାକୁ ଗ୍ରାହକ ସକ୍ଷମ ହୋଇପାରିବେ। ସାନିଟାଇଜେଶନର ଆବଶ୍ୟକତାକୁ ବିଚାରକରି ଏଭଳି ଏକ ପ୍ରଡକ୍ଟ ବଜାରକୁ ପ୍ରବେଶ କରାଯାଇଛି ବୋଲି କମ୍ପାନୀର ଏମ୍ଡି ତଥା ସିଇଓ ରାଜେଶ ଖାନ୍ନା ସୂଚନା ଦେଇଛନ୍ତି।