ପୁରୀ ଅଫିସ,୧୭।୧୧: ମହାପ୍ରଭୁଙ୍କୁ ଦାନ ଦେବାକୁ ଦାତାଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ଶ୍ରୀମନ୍ଦିରର ୩ଟି କବାଟ ରୁପା ଛାଉଣି ପାଇଁ ଆବଶ୍ୟକ ରୁପା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ଜଣେ ଭକ୍ତ ଆଗେଇ ଆସିଥିବାବେଳେ ଏବେ ଆଉ ଜଣେ ଭକ୍ତ ମହାପ୍ରଭୁଙ୍କ ଆଭୂଷଣ ପ୍ରଦାନ ଲାଗି ଇଚ୍ଛା ପ୍ରକାଶ କରିଛନ୍ତି। ଶ୍ରୀମସ୍ତକରେ ଶୋଭାମଣ୍ଡିତ କରୁଥିବା ଚନ୍ଦ୍ର, ସୂର୍ଯ୍ୟ ଏବଂ ଅବକାଶ ସମୟରେ ବ୍ୟବହାର ହେଉଥିବା ସୁବର୍ଣ୍ଣ ପାତିଆ ସମ୍ପୃକ୍ତ ଦାତା ତଥା ଓଡ଼ିଆ ଭକ୍ତଙ୍କ ଦାନ ସୁନାରେ ତିଆରି କରାଯିବ। ସୋମବାର ଏହି ଆଭୂଷଣର ମାପଚୁପ ହୋଇଥିବାବେଳେ ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହାକୁ ଅନୁମୋଦନ କରାଯିବ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ତାଙ୍କର କେତେକ ରୀତି, ନୀତି, ବେଶ ଓ ଭୋଗ ଇତ୍ୟାଦିରେ ରାଜକୀୟ ଠାଣି ପରିଲକ୍ଷିତ ହୋଇଥାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ ବା ରାଜବେଶ ବର୍ଷକୁ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଚାରିଥର ଶ୍ରୀମନ୍ଦିର ରନତ୍ସିଂହାସନ ଉପରେ ଏବଂ ଥରେ ରଥ ଉପରେ ସୁନାବେଶ କରାଯାଇଥାଏ। ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦାରୁବିଗ୍ରହ ଝଲସିଥାନ୍ତି। ତେବେ ପୁରୁଣା ହୋଇଯାଇଥିବା ଚନ୍ଦ୍ର, ସୂର୍ଯ୍ୟ ଓ ପାତିଆ ନୂତନ ଭାବେ ତିଆରି କରାଯିବ। ଓଡ଼ିଶାର ଜଣେ ଜଗନ୍ନାଥପ୍ରେମୀ ଭକ୍ତ ଏହି ଆଭୂଷଣର ସମସ୍ତ ଖର୍ଚ୍ଚ ବହନ କରିବେ। ଏଥିରେ ପ୍ରାୟ ୩୦୦ରୁ ୪୦୦ ଗ୍ରାମ୍ ସୁନା ଲାଗିବ ବୋଲି ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି। ସୋମବାର ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦାତାଙ୍କ ପକ୍ଷରୁ ଆସିଥିବା କାରିଗର ପୁରୁଣା ଚନ୍ଦ୍ର, ସୂର୍ଯ୍ୟର ମାପଚୁପ ନେଇଛନ୍ତି। ପୁରୁଣା ତଥା ପାରମ୍ପରିକ ଢାଞ୍ଚାରେ ନୂଆ ଅଳଙ୍କାର ତିଆରି କରାଯିବ। ତେବେ ମଙ୍ଗଳବାର ପରିଚାଳନା କମିଟି ବୈଠକରେ ଏହାକୁ ଅନୁମୋଦନ ମିଳିବା ପରେ ମାସକ ମଧ୍ୟରେ ଏହି ନୂତନ ଅଳଙ୍କାର ନିର୍ମାଣ କରାଯିବ ବୋଲି ତିଆଡ଼ିି ସୂଚନା ଦେଇଛନ୍ତି। ସୂଚନାଥାଉ କି, ପୂର୍ବରୁ ରାଜ୍ୟ ବାହାରର ଜଣେ ଭକ୍ତ ଠାକୁରଙ୍କର ଶ୍ରୀମୁଖ ପଦ୍ମ, ଝୋବାକଣ୍ଠି ଓ ତଡ଼ଗୀ ତିଆରି ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି।