Categories: ଫୁରସତ

ଓଡ଼ିଆ ଅଭିଧାନ ଓ ରଙ୍ଗିନ ଚକ୍‌ଖଡ଼ି କିଣିଥିଲି

ଅଧ୍ୟାପକ, ସାହିତି୍ୟକ ତଥା ସାହିତ୍ୟ ସଂଗଠକ ପ୍ରେମାନନ୍ଦ ମହାରଣା
ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
୧୯୬୭ ମସିହାରେ ଖୋର୍ଦ୍ଧା ଜିଲା କୁହୁଡ଼ିଠାରେ ମୋର ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ପୁରୀ ଏସ୍‌ସିଏସ୍‌ କଲେଜରେ ପଢ଼ିଥିଲି। ସେଠାରୁ ଅର୍ଥନୀତି ସମ୍ମାନରେ ବି.ଏ. ପାସ୍‌ କରି ବ୍ରହ୍ମପୁର ୟୁନିଭରସିଟିରେ ଏମ୍‌.ଏ.କଲି। ତା’ପରେ ଉତ୍କଳ ୟୁନିଭରସିଟିରେ ଏଲ୍‌.ଏଲ୍‌.ବି. ପଢ଼ିଲି। ଏଲ୍‌.ଏଲ୍‌.ବି. ପଢ଼ା ସରୁସରୁ ମୋର ଚାକିରି ହୋଇଗଲା। ଜଟଣୀ ଅରଗୁଳସ୍ଥିତ ଶରତ ପାଇକରାୟ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ଅଧ୍ୟାପକ ଭାବେ ୧୯୯୨ରେ ମୁଁ ପ୍ରଥମେ ଜଏନ୍‌ କରିଥିଲି। ୫୦୦ ଟଙ୍କା ଥିଲା ମୋର ପ୍ରଥମ ରୋଜଗାର। ଯେହେତୁ ସାହିତ୍ୟ ପ୍ରତି ମୋର ରୁଚି ଥିଲା, ତେଣୁ ପ୍ରଥମ ମାସ ଦରମାରୁ ୪୨୭ ଟଙ୍କା ଦେଇ ମୁଁ ପ୍ରଥମେ ଏକ ଓଡ଼ିଆ ଅଭିଧାନ କିଣିଥିଲି। ତା’ସହିତ ଯେହେତୁ ମଫସଲ ଅଞ୍ଚଳରେ ଏହି କଲେଜଟି ଥିଲା, ତେଣୁ ସେଠାରେ ଅର୍ଥନୀତି ବିଷୟ ନେଇ ପଢ଼ିବାକୁ ବେଶି ପିଲା ଆଗ୍ରହ କରୁ ନ ଥିଲେ। କାରଣ ସେମାନଙ୍କର ଧାରଣା ଥିଲା ଏହି ବିଷୟ ପଢ଼ିବାକୁ ଭାରି କଷ୍ଟ। ଖାସ୍‌ ସେମାନଙ୍କର ଏହି ଧାରଣା ଦୂର କରିବା ଓ ସେମାନଙ୍କୁ ଏହି ବିଷୟ ପ୍ରତି ଆକୃଷ୍ଟ କରିବା ପାଇଁ ବଳକା ଟଙ୍କାରେ ଭୁବନେଶ୍ବରରୁ ୩ ପ୍ୟାକେଟ୍‌ ରଙ୍ଗିନ ଚକ୍‌ଖଡ଼ି କିଣିଥିଲି। କାରଣ ମୋର ଧାରଣା ଥିଲା ଯେ, ରଙ୍ଗିନ ଚକ୍‌ଖଡ଼ିରେ ଗ୍ରାଫ୍‌ କାଟି ସେମାନଙ୍କୁ ବୁଝାଇଲେ ସେମାନେ ଆକର୍ଷିତ ହେବା ସହିତ ପାଠକୁ ଭଲରେ ବୁଝିପାରିବେ। ଏହିପରି ଭାବେ ମୋର ପ୍ରଥମ ରୋଜଗାରକୁ ମୁଁ ଖର୍ଚ୍ଚ କରିଥିଲି। ୟା’ ଭିତରେ ଦୀର୍ଘ ୨୮ ବର୍ଷ ବିତିଯାଇଥିଲେ ବି ମୁଁ ସେହି କଲେଜରେ ରହି ଆଜି ବି ଶିକ୍ଷାଦାନ କରୁଅଛି। ଅବଶ୍ୟ ୧୯୯୫ରୁ ୨୦୧୫ ପର୍ଯ୍ୟନ୍ତ ମୁଁ ଏହି କଲେଜରେ ପ୍ରିନ୍ସିପାଲ୍‌ ଦାୟିତ୍ୱ ତୁଲାଇ ଆସୁଥିଲି। କିନ୍ତୁ ଦୁର୍ଭାଗ୍ୟ ୨୦୧୫ ମସିହାରେ ମୋ ବାପାଙ୍କର ହଠାତ୍‌ ଦେହ ଖରାପ ହେଲା ଆଉ ସେ ଆରପାରିକୁ ଚାଲିଗଲେ। ତାଙ୍କ ଦେହାନ୍ତ ପରେ ଘରର ସମ୍ପୂର୍ଣ୍ଣ ଭାର ମୋ ଉପରେ ଆସିଯିବାରୁ ମୁଁ ବାଧ୍ୟହୋଇ ପ୍ରିନ୍ସିପାଲ୍‌ ଦାୟିତ୍ୱ ଛାଡ଼ିଦେଲି। ଆଉ ଏବେ ମୁଁ ସେହି କଲେଜରେ ବରିଷ୍ଠ ଅଧ୍ୟାପକ ଭାବେ ଅଧ୍ୟାପନା କରୁଅଛି। ଚାକିରି ଜୀବନ ବାଦ୍‌ ସାହିତ୍ୟ ପ୍ରତି ମୋର ରୁଚି ରହିଛି। ସ୍କୁଲ୍‌ ପଢ଼ା ସମୟରୁ ସାହିତ୍ୟ ପ୍ରତି ରୁଚି ରଖୁଥିବା ଆମ ସଂସ୍କୃତ ଓ ବିଜ୍ଞାନ ସାର୍‌ ଆମମାନଙ୍କୁ ଛୋଟ ଛୋଟ ଗପ, କବିତା ଓ ପ୍ରବନ୍ଧ ଆଦି ଲେଖିବା ପାଇଁ ପ୍ରେରଣା ଦେଉଥିଲେ। ବାସ୍‌ ସେବେଠାରୁ ଲେଖାଲେଖିର ଏହି ଧାରା ମୋର ଜାରି ରହିଛି। ୟା’ଭିତରେ ମୁଁ ପ୍ରାୟ ୩୦୦ରୁ ଊଦ୍ଧର୍‌ବ କବିତା ଲେଖି ସାରିଲିଣି। ତନ୍ମଧ୍ୟରୁ ୧୫୦ରୁ ଊଦ୍ଧର୍‌ବ କବିତା ବିଭିନ୍ନ ପତ୍ରପତ୍ରିକାରେ ମୋର ପ୍ରକାଶିତ ହୋଇସାରିଲାଣି। ଏଥିସହିତ କେତୋଟି ଅଣୁଗଳ୍ପ ମଧ୍ୟ ଖବରକାଗଜରେ ପ୍ରକାଶିତ ହୋଇଛି। ଇଚ୍ଛା ଥିଲା ବାପାଙ୍କୁ ଉତ୍ସର୍ଗୀକୃତ କରି ଗୋଟିଏ କବିତା ସଂକଳନ କରିବି, ଆଉ ତାଙ୍କରି ହାତରେ ଉନ୍ମୋଚନ କରିବି ବୋଲି। ହେଲେ ସେ ଇଚ୍ଛା ମୋର ପୂରଣ ହୋଇପାରିଲାନି। ଏବେ ପୁଣିଥରେ ମନ ବଳାଇଛି ସେ ଅଧୁରା ସ୍ବପ୍ନକୁ ସାକାର କରିବାକୁ। ଯଦି ଭଗବାନଙ୍କ ଆର୍ଶୀବାଦ ରହିଲା ତା’ହେଲେ ଗୋଟିଏ ଏକପଦୀ ଓ ଗୋଟିଏ ଦୀର୍ଘପଦୀ କବିତା ପୁସ୍ତକ ମୋର ଖୁବ୍‌ ଶୀଘ୍ର ପ୍ରକାଶିତ ହୋଇଯିବ। ଏଥିସହିତ ଜଟଣୀ ସାହିତ୍ୟ ସଂସଦର ପାଖାପାଖି ୧୩ବର୍ଷ ସମ୍ପାଦକ ଦାୟିତ୍ୱରେ ଥିଲି ଆଉ ଏବେ ଏହାର ଆଜୀବନ ସଦସ୍ୟ ଅଛି। ସେହିପରି ଏହି ଅନୁଷ୍ଠାନ ତରଫରୁ ପ୍ରକାଶିତ ‘ଚିହ୍ନ’ ପତ୍ରିକାର ମଧ୍ୟ ମୁଁ ୪ ବର୍ଷ ସମ୍ପାଦକ ଦାୟିତ୍ୱରେ ଥିଲି। ତା’ଛଡା ଏହି ଲେଖାଲେଖିକୁ ନେଇ ମୋତେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି। ତେଣୁ ଅଧ୍ୟାପନା ବାଦ୍‌ ଲେଖାଲେଖି ବି ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି। -ଅମ୍ବ୍ରିତା

Share