ବିଜ୍ଞାନ ଓ ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ବିଶେଷଜ୍ଞ କମିଟିରେ ଓଡ଼ିଆ

ଭୁବନେଶ୍ୱର, ୯।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ପକ୍ଷରୁ ‘ଇନୋଭେସଶନ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି ଏଣ୍ଟରପ୍ରିନିୟର୍‌ଶିପ୍‌ ଡେଭ୍‌ଲପ୍‌ମେଣ୍ଟ’ ବିଶେଷଜ୍ଞ ଉପଦେଷ୍ଟା ସମିତିର ସଦସ୍ୟା ଭାବେ ଓଡ଼ିଶା ଜନ୍ମିତ ଡ. ମନୀଷା ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଛି। ସେ ୩ ବର୍ଷ ପାଇଁ ଏହି ପଦବୀରେ କାର୍ଯ୍ୟ କରିବେ। ଗୁଜୁରାଟସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦ (ଆଇଆର୍‌ଏମ୍‌ଏ)ର ପ୍ରଫେସର ଡ. ହୃଷୀକେଶ ମିଶ୍ର ସମିତିର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଡ. ମନୀଷା ଏବେ ଦିଲ୍ଲୀସ୍ଥିତ ଇଣ୍ଡିଗ୍ରାମ୍‌ ଲାବ୍‌ସ ଫାଉଣ୍ଡେଶନ (ଆଇଏଲ୍‌ଏଫ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ କରିଥିବାବେଳେ ବ୍ରିଟିଶ ସରକାରଙ୍କ ବିଦେଶ ଓ କମନ୍‌ଓ୍ବେଲ୍‌ଥ କାର୍ଯ୍ୟାଳୟ ତରଫରୁ ଚେଭେନିଙ୍ଗ୍‌ ଫେଲୋଶିପ୍‌ ପାଇ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଶିକ୍ଷାଲାଭ କରିଛନ୍ତି। କତାରରେ ୨୦୧୯ରେ ଅନୁଷ୍ଠିତ ବିଶ୍ୱ ଇନୋଭେଶନ ସମ୍ମିଳନୀରେ ମନୀଷା ବକ୍ତା ଭାବେ ଯୋଗଦେଇଥିଲେ। ତାଙ୍କୁ ଭାରତୀୟ ଖାଦ୍ୟ ଓ କୃଷି ସଦନ ଦ୍ୱାରା ୨୦୧୯ର ଇନ୍‌କ୍ୟୁବେଟର କାଟାଗୋରିରେ ଶ୍ରେଷ୍ଠ ସିଇଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ୍‌ ଇଣ୍ଡିଆ ପୋର୍ଟାଲରେ ଜଣେ ସ୍ବୀକୃତିପ୍ରାପ୍ତ ମେଣ୍ଟର ଭାବେ ସେ କାର୍ଯ୍ୟ କରୁଛନ୍ତି। ମୟୂରଭଞ୍ଜ ଜିଲାର ବାରିପଦାରେ ଜନ୍ମିତ ମନୀଷା କଟକର ବୋହୂ ହୋଇଥିବା ବେଳେ ଏବେ ଦିଲ୍ଲୀରେ ରହୁଛନ୍ତି।

Share