ଅଯୋଧ୍ୟା ସୁରକ୍ଷା ଦାୟିତ୍ୱରେ ଓଡ଼ିଆ ଆଇପିଏସ୍‌ ଅଧିକାରୀ

ଜୟପୁର,୫।୮(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ବୁଧବାର ଭୂମିପୂଜନ କାଯର୍ର୍‌ୟକ୍ରମ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ଯୋଗଦେବେ। ଏଠାରେ ସୁରକ୍ଷା ଏବଂ ଆଇନଶୃଙ୍ଖଳା ରକ୍ଷା ପୋଲିସ ପାଇଁ ଏକ ଚାଲେଞ୍ଜ। ଭୂମି ପୂଜା ସମୟରେ ସୁରକ୍ଷାର ଦାୟିତ୍ୱ ଜଣେ ଓଡ଼ିଆଙ୍କ ହାତରେ। ସେ ହେଲେ ଏଡିଜି ସତ୍ୟ ନାରାୟଣ ସାବତ। ସତ୍ୟ ନାରାୟଣଙ୍କ ଘର କୋରାପୁଟ ଜିଲା ଜୟପୁର ପାଣିନଳା ସାହିରେ। ସେ ୧୯୬୪ରେ ଜନ୍ମ ଗ୍ରହଣ କରିଥିଲେ। ସେଠାରୁ ପାଠପଢା ସାରି ସେ ପଦାର୍ଥ ବିଜ୍ଞାନରେ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯାଇଥିଲେ। ୧୯୯୦ରୁ ସେ ଉତ୍ତରପ୍ରଦେଶ ପୋଲିସ ଏବଂ ସିଆର୍‌ପିଏଫ୍‌ର ବିଭିନ୍ନ ପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ସେହିପରି ଗତ କୁମ୍ଭମେଳାର ଆଇନ ଶୃଙ୍ଖଳା ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ଥିଲା।

Share