ନୂଆଦିଲ୍ଲୀ, ୧୦।୬: ଜଣେ ଓଡ଼ିଆଙ୍କ ସମେତ ୩ ଭାରତୀୟ ବୈଜ୍ଞାନିକ ଏକ ନୂଆ ପ୍ରଯୁକ୍ତି ବିକଶିତ କରିଛନ୍ତି, ଯାହା ଭାରତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼କୁ ସାଟେଲାଇଟ ଅପେକ୍ଷା ଆଗୁଆ ଠାବ କରିପାରିବ। ଫଳରେ ବାତ୍ୟାଜନିତ କ୍ଷୟକ୍ଷତି ରୋକିବାରେ ବିଭିନ୍ନ ପ୍ରତିକାର ବ୍ୟବସ୍ଥା ଯଥେଷ୍ଟ ପୂର୍ବରୁ ଗ୍ରହଣ କରାଯାଇପାରିବ ବୋଲି କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ରିମୋଟ ସେନ୍ସିଂ ପ୍ରଯୁକ୍ତି ସାମୁଦ୍ରିକ ଝଡ଼କୁ ଯଥେଷ୍ଟ ପୂର୍ବରୁ ଚିହ୍ନଟ କରୁଥିଲେ ହେଁ ଏହା ସମ୍ଭବ ହୋଇଥାଏ, ଯେତେବେଳେ ଉଷ୍ମ ମହାସାଗର ପୃଷ୍ଠରେ ସ୍ପଷ୍ଟ ଲଘୁଚାପ ସିଷ୍ଟମ ବିକଶିତ ହୁଏ। ତେବେ ଉଷ୍ମ ସାଗର ପରିବେଶରେ ସାଇକ୍ଲୋନିକ୍ ସିଷ୍ଟମ ସୃଷ୍ଟି ହେବା ପୂର୍ବରୁ ବାୟୁମଣ୍ଡଳୀୟ ଅସ୍ଥିରତା ପ୍ରକ୍ରିୟା ସହିତ ଜଳାବର୍ତ୍ତ ହୋଇଥାଏ, ଯାହା ଉଚ୍ଚତର ବାୟୁମଣ୍ଡଳୀୟ ସ୍ତରରେ ବଢ଼ିଥାଏ। ସମୁଦ୍ର ଉପରେ ଡିପ୍ରେସନ୍ ସୃଷ୍ଟି ସମ୍ପର୍କରେ ଜାଣିବାରେ ଏହା ଏକ ମୁଖ୍ୟ ବୈଶିଷ୍ଟ୍ୟ। ଏହାକୁ ବ୍ୟବହାର କରି ଅନେକ ପୂର୍ବରୁ ବାତ୍ୟା ସମ୍ପର୍କରେ ପୂର୍ବାନୁମାନ କରାଯାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଉକ୍ତ ଟେକ୍ନୋଲୋଜିର ବିକାଶ କରିଥିବା ଟିମ୍ରେ ଓଡ଼ିଆ ବୈଜ୍ଞାନିକ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ଆଇଆଇଟି ଖଡ଼ଗପୁରର ଜିୟା ଆଲବର୍ଟ ଏବଂ ପ୍ରସାଦ କେ. ଭାସ୍କରନ୍ ରହିଛନ୍ତି। ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମ (ସିସିପି) ଅଧୀନରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସହଯୋଗରେ ସେମାନେ ନୂଆ ପଦ୍ଧତି ବିକଶିତ କରିଛନ୍ତି। ଉକ୍ତ ଗବେଷଣା ନିକଟରେ ଆଟ୍ମୋସ୍ପିୟରିକ୍ ରିସର୍ଚ୍ଚ ପତ୍ରିକାରେ ପ୍ରକାଶ ପାଇଛି। ସେମାନେ ୨୦୧୩ର ଫାଇଲିନ୍ ଏବଂ ବାର୍ଡା, ୨୦୧୮ର ଗାଜା ଏବଂ ମାଡ଼ି, ୨୦୧୭ର ମୋରା ଏବଂ ୨୦୦୯ର ଆଇଲା ବାତ୍ୟାକୁ ନେଇ ଅଧ୍ୟୟନ କରିଥିଲେ। ସେମାନଙ୍କ ପଦ୍ଧତିରେ ଉକ୍ତ ସାଇକ୍ଲୋନଗୁଡ଼ିକୁ ଅନୂ୍ୟନ ଆଉ ୪ ଦିନ ଆଗରୁ ଠାବ କରାଯାଇପାରିବ ବୋଲି ବୈଜ୍ଞାନିକମାନେ ଅନୁଭବ କରିପାରିଥିଲେ।
ଭୌତିକ ସମୁଦ୍ରବିଜ୍ଞାନ ଗବେଷିକା ବିଷ୍ଣୁପ୍ରିୟା ଏବେ ଚାଇନାର ୟାଣ୍ଟାଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କୋଷ୍ଟାଲ ଜୋନ୍ ରିସର୍ଚ୍ଚରେ ଜଣେ ରିସର୍ଚ୍ଚ ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟରତ। ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଗୌଡ଼ଗାଁସ୍ଥିତ ବାସିପିଠା ସରକାରୀ ହାଇସ୍କୁଲରେ ଶିକ୍ଷାଗ୍ରହଣ କରିଥିବା ବିଷ୍ଣୁପ୍ରିୟା ଭୁବନେଶ୍ୱର ରମାଦେବୀ ଅଟୋନମସ୍ କଲେଜରୁ ଯୁକ୍ତଦୁଇ ବିଜ୍ଞାନ ଓ ବିଏସ୍ସି ଡିଗ୍ରୀ ହାସଲ କରି ରାଉରକେଲାର ଏନ୍ଆଇଟିରେ ଗଣିତରେ ଏମ୍ଏସ୍ସି କରିଥିଲେ। ୨୦୧୪ରୁ ୨୦୧୮ ମଧ୍ୟରେ ସେ ଆଇଆଇଟି ଖଡଗପୁରରୁ ଫିଜିକାଲ ଓସନୋଗ୍ରାଫିରେ ପିଏଚ୍.ଡି କରିଥିଲେ। ତାଙ୍କ ଘର କଟକ ଜିଲା ବାଙ୍କୀ ସବ୍ଡିଭିଜନ ଅନ୍ତର୍ଗତ ପଶାଣିଆ ଗ୍ରାମରେ। ତାଙ୍କ ବାପା ଭଗବାନ ସାହୁ ବାସିପିଠା ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଥିଲେ। ଅବସର ପରେ ଏବେ ସେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ରହୁଛନ୍ତି।