୫ ନୂଆ ପ୍ରଜାତିର ସାପ ଆବିଷ୍କାର କଲେ ଓଡ଼ିଆ ବୈଜ୍ଞାନିକ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ସାପ ଗବେଷଣା କ୍ଷେତ୍ରରେ ଓଡ଼ିଆ ବୈଜ୍ଞାନିକ ଡ. ଅଶୋକ କୁମାର ମଲ୍ଲିକ ଏକ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ବୈଜ୍ଞାନିକ ଟିମ୍‌ ଏକକାଳୀନ ୫ ପ୍ରଜାତିର ସାପ ଆବିଷ୍କାର କରିଛନ୍ତି। ଏହା ବିଶ୍ୱର ଅନ୍ୟତମ ଲୋକପ୍ରିୟ ଟ୍ୟାକ୍ସୋନୋମି ଜର୍ନାଲ ‘ଜୁଟାକ୍ସା’ରେ ପ୍ରକାଶିତ ହୋଇଛି। ଅଶୋକ ଓ ଅନ୍ୟ ୫ଜଣ ଭାରତୀୟ ବୈଜ୍ଞାନିକଙ୍କ ଏହି ଗବେଷଣା ପ୍ରକାଶିତ ହେବାପରେ ଗ୍ରୀନ୍‌ ଭାଇନ୍‌ ସ୍ନେକ ବା ଲାଉଡଙ୍କିଆ ଶ୍ରେଣୀର ଏହି ୫ ନୂଆ ପ୍ରଜାତିର ସାପଙ୍କୁ ମାନ୍ୟତା ମିଳିଛି।
ଅଶୋକ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲା ଡେରାବିଶି କଲେଜ ପ୍ରାଣୀ ବିଜ୍ଞାନ ବିଭାଗରେ ଅଧ୍ୟାପନା କରୁଛନ୍ତି। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରେ ପିଏଚ୍‌ଡି କରିବାବେଳେ ସେ ଏହି ଗବେଷଣା କରିଥିଲେ। ଗବେଷଣା ସମୟରେ ଅଶୋକ ଓ ସହକର୍ମୀମାନେ ଆବିଷ୍କାର କରିଥିବା ସାପଗୁଡ଼ିକ ହେଲା, ଆହାତୁଲା ମାଲାବାରିକା (ahaetulla malabarica), ଆହାତୁଲା ଫନର୍‌ସୱର୍ଦି (ahaetulla farnsworthi), ଆହାତୁଲା ବୋରିଆଲିସ (ahaetulla borealis), ଆହାତୁଲା ଟ୍ରାଭାନ୍‌କୋରିକା (ahaetulla travancorica) ଓ ଆହାତୁଲା ସାହ୍ୟାଡ୍ରେନ୍‌ସିସ (ahaetulla sahyadrensis)। ଭାରତର ପଶ୍ଚିମଘାଟ ଓ ଅନ୍ୟ ସ୍ଥାନରେ ଦେଖାଯାଉଥିବା ଲାଉଡଙ୍କିଆ ପ୍ରଜାତିର ଏହି ସମସ୍ତ ସାପଙ୍କର ଡିଏନ୍‌ଏ ସାମ୍ପୁଲ ଷ୍ଟଡି କରି ଅଶୋକଙ୍କ ଟିମ୍‌ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଅଶୋକଙ୍କ ସହିତ ମୁମ୍ବାଇ ନାଚୁରାଲ ହିଷ୍ଟ୍ରି ସୋସାଇଟି ଓ ଚେନ୍ନାଇ ସ୍ନେକ ପାର୍କର ଗବେଷକ ଏହି ଗବେଷଣାରେ ସାମିଲ ଥିଲେ।
ଏ ସମ୍ପର୍କରେ ଅଶୋକ କୁହନ୍ତି, ୧୧ଟି ରାଜ୍ୟରୁ ଅନୁମତି ମିଳିବା ପରେ ୨୦୦୮ରୁ ଗବେଷଣା ଆରମ୍ଭ ହୋଇଥିଲା। ତେବେ ଗୋଟିଏ ଜର୍ନାଲରେ ଏକାଥରକେ ୫ଟି ନୂଆ ପ୍ରଜାତିର ସାପ ଆବିଷ୍କାର ସଂକ୍ରାନ୍ତରେ ପ୍ରକାଶିତ ହୋଇଥିବାରୁ ବହୁତ ଖୁସି ଲାଗୁଛି। ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏନେଇ ଅଶୋକଙ୍କୁ ପ୍ରଶଂସା କରି କହିଛନ୍ତି, ଗବେଷଣାର ଗୋଟିଏ ପେପରରେ ୫ଟି ନୂଆ ପ୍ରଜାତି ସାପ ଆବିଷ୍କାର କରିବାରେ ଅଶୋକ ଓ ତାଙ୍କ ସହଯୋଗୀ ପ୍ରଥମ ଭାରତୀୟ ଗବେଷକ ହେବାର ଗୌରବ ଲାଭ କରିଛନ୍ତି। କୌଣସି ବିଦେଶୀ ସାପ ବିଶେଷଜ୍ଞଙ୍କ ବିନା ସାହାଯ୍ୟରେ ସେମାନେ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ୧୯୦୦ ମସିହାରେ କେବଳ ଇଂରେଜ ବା ଅନ୍ୟ ବିଦେଶୀ ବୈଜ୍ଞାନିକମାନେ ହିଁ ଏପରି ଆବିଷ୍କାରକୁ ସମ୍ଭବ କରିଥିଲେ।