ବାଲିଯାତ୍ରାରେ ଓର୍‌ମାସର କଟକିଆ ବ୍ରାଣ୍ଡ୍‌

କଟକ ଅଫିସ,୪ା୧୧: ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠଛି ତଳ ଓ ଉପର ପଡିଆ। ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ବ୍ୟବସାୟୀମାନେ ଦୋଳି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। କରୋନା ମହାମାରୀ ଯୋଗୁ ୨ବର୍ଷ ଧରି ବାଲିଯାତ୍ରା ବନ୍ଦ ରହିଥିବାବେଳେ ଚଳିତବର୍ଷ ସରସ ସୁନ୍ଦର କରିବା ପାଇଁ ଏକାଧିକ କାର୍ଯ୍ୟକ୍ରମ ପ୍ରଶାସନ ହାତକୁ ନେଇଛି। ଏପରି କି ବାଲିଯାତ୍ରା ପଡିଆରେ ଅନେକ ନୂତନତା ଦେଖିବାକୁ ମିଳିବ। ଲେଜର ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’, ବାଲୁକାକଳା, ବୋଟିଂ ବ୍ୟବସ୍ଥା, କଟକ ଇନ୍‌ କଟକ ଥିମ୍‌ ଆକର୍ଷଣର କେନ୍ଦ୍ର ପାଲଟିବ। ତେବେ ଏଥରର ମୁଖ୍ୟ ଆକର୍ଷଣ ହେଉଛି ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା। ବାଲିଯାତ୍ରାରେ ମହିଳା ଉଦ୍ୟୋଗୀମାନେ ବିଭିନ୍ନ ହାତ ତିଆରି ସାମଗ୍ରୀ ବିକ୍ରି କରିବେ। ଏଥର ଓରମାସ୍‌ ପକ୍ଷରୁ ଉକ୍ତ ସାମଗ୍ରୀକୁ କଟକିଆ ବ୍ରାଣ୍ଡ୍‌ ନାମ ଦିଆଯାଇଛି। ଉକ୍ତ ବ୍ରାଣ୍ଡ୍‌କୁ ପରିଚିତ କରାଇବା ପାଇଁ ଓରମାସ ପକ୍ଷରୁ ୮୦ଟି ସ୍ବତନ୍ତ୍ର ଷ୍ଟଲ ବ୍ୟବସ୍ଥା କରାଯାଇଛି। ଏଠାରେ ବଡମ୍ବା, ଡମପଡା, ମାଣିଆବନ୍ଧ ଅଞ୍ଚଳର ଓରମାସ୍‌, ମିଶନଶକ୍ତି, ଓଏଲ୍‌ଏମ୍‌ ପକ୍ଷରୁ ବିଭିନ୍ନ ପାରମ୍ପରିକ ହସ୍ତତନ୍ତ, ଟେରାକୋଟା ସାମଗ୍ରୀ, ଶାଢି, ପାଟ, ତାରକସି ଅଳଙ୍କାର, ଡୋକ୍ରା କାଷ୍ଟିଂ ସମେତ ବିଭିନ୍ନ ସାମଗ୍ରୀ ମିଳିବ। ବିଶେଷକରି କଟକ ଜିଲାର ଉକ୍ତ ସାମଗ୍ରୀକୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଓରମାସ୍‌ର ଯୁଗ୍ମ କାର୍ଯ୍ୟନିର୍ବାହୀ ବିପିନ ବିହାରୀ ରାଉତ କହିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଜିଲାରୁ ଆଉ କିଛି ନୂଆ ସାମଗ୍ରୀକୁ ଏଥିରେ ସାମିଲ କରାଯିବ। ଓରମାସ୍‌ ପକ୍ଷରୁ ପୂର୍ବ ବର୍ଷ ଷ୍ଟଲ ସଂଖ୍ୟା ୩୮୦ ଥିବାବେଳେ ଚଳିତବର୍ଷ ୪୦ଟି ବୃଦ୍ଧି କରାଯାଇଛି। ହସ୍ତତନ୍ତ, ହସ୍ତଶିଳ୍ପ ସହିତ ରାଜ୍ୟ ତଥା ଜାତୀୟ ସ୍ତରର ଅନେକ ହସ୍ତକଳା ଏଥିରେ ପ୍ରଦର୍ଶିତ ହେବ। ଅପରପକ୍ଷରେ ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ଗୁଜରାଟ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, କେରଳ, କର୍ନାଟକ, ମଣିପୁର, ମହାରାଷ୍ଟ୍ର ଆଦି ରାଜ୍ୟର ବ୍ୟବସାୟୀ ବାଲିଯାତ୍ରାରେ ବିଭିନ୍ନ ସାମଗ୍ରୀ ବିକ୍ରି କରିବେ ବୋଲି ଜଣାପଡିଛି। ପଲ୍ଲିଶ୍ରୀ ମେଳାରେ ଲୋକଙ୍କ ସୁବିଧା ପାଇଁ ଏଟିଏମ୍‌ କାଉଣ୍ଟର ଓ କଏନ୍‌ ଭେଣ୍ଡିଂ ମେଶିନ ବ୍ୟବସ୍ଥା କରାଯିବ। ଏଥିରେ କଟକ ଜିଲାରୁ ୮୦, ରାଜ୍ୟରୁ ୯୦ ଓ ମିଶନଶକ୍ତିର ୩୦ଟି ସ୍ବତନ୍ତ୍ର ଗ୍ରୁପ ସାମିଲ ହୋଇଛି।

ପ୍ରଥମ ଥର କ୍ଲକ୍‌ ରୁମ୍‌

ପ୍ରଥମଥର ପାଇଁ ବାଲିଯାତ୍ରାରେ କ୍ଲକ୍‌ ରୁମ୍‌ ବ୍ୟବସ୍ଥା କରାଯିବ। ଏଠାରେ ଜିଲା ତଥା ରାଜ୍ୟ ବାହାରର ବ୍ୟବସାୟୀମାନେ ଚାହିଁଲେ ନିଜ ସାମଗ୍ରୀ ଷ୍ଟକ୍‌ ରଖିପାରିବେ। ପୂର୍ବରୁ ବ୍ୟବସାୟୀମାନେ ନିଜ ସାମଗ୍ରୀ ବାହାରେ ରଖି ବ୍ୟବସାୟ କରୁଥିଲେ। ହେଲେ ଏଭଳି ବ୍ୟବସ୍ଥା ଦ୍ୱାରା ବ୍ୟବସାୟୀମାନେ ଉପକୃତ ହେବେ।

ଆକର୍ଷିତ କରିବ ବାଉଁଶ ସାମଗ୍ରୀ

ଏଥର ବାଲିଯାତ୍ରାରେ ବାଉଁଶ ତିଆରି ସାମଗ୍ରୀ ଲୋକଙ୍କୁ ଆକର୍ଷିତ କରିବ ବୋଲି ଆଶା ରହିଛି। କଟକ ଜିଲା ଡମପଡା ଅଞ୍ଚଳର ମହିଳାମାନେ ଏହାକୁ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଷ୍ଟଲରେ ଲ୍ୟାମ୍ପ, ଆସନ, ଡଷ୍ଟବିନ, ଫଳ ଚାଙ୍ଗୁଡି, ପେନ୍‌ଷ୍ଟାଣ୍ଡ, ବୋତଲ ଷ୍ଟାଣ୍ଡ, ଫୁଲଗଛ ଭଳି ସାମଗ୍ରୀ ଉପଲବ୍ଧ ରହିବ। ଏହାକୁ ସୁଲଭ ମୂଲ୍ୟରେ ବିକ୍ରି କରି ଭଲ ରୋଜଗାର କରିବା ପାଇଁ ମହିଳାମାନେ ଆଶା ରଖିଛନ୍ତି। ପ୍ଲାଷ୍ଟିକ୍‌ ବ୍ୟବହାରକୁ କମାଇବା ଉଦ୍ଦେଶ୍ୟରେ ଏଭଳି ପ୍ରୟାସ କରାଯାଇଛି।

Share