Categories: ଜାତୀୟ

ଓଆର୍‌ଓପି: କେନ୍ଦ୍ରର ଘୋଷଣା ବାସ୍ତବତାଠାରୁ ଭିନ୍ନ

ନୂଆଦିଲ୍ଲୀ, ୧୭ା୨: କେନ୍ଦ୍ରର ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେନସନ୍‌ (ଓଆର୍‌ଓପି) ନୀତି ଅନୁସାରେ ପୂର୍ବତନ ସେନା କର୍ମଚାରୀଙ୍କୁ ଭତ୍ତା ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ପ୍ରଶ୍ନ ଉଠାଇଛନ୍ତି। ପେନ୍‌ସନ୍‌ ସ୍ବତଃ ବୃଦ୍ଧି ନିଷ୍ପତ୍ତି କଥା କେନ୍ଦ୍ର ସରକାର ଭୁଲି ଯାଇଛନ୍ତି କି ବୋଲି ସର୍ବୋଚ୍ଚ ଅଦାଲତ ପଚାରିଛନ୍ତି। ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ପକ୍ଷରୁ ଦାଏର ଏକ ଆବେଦନ ଉପରେ ଶୁଣାଣିବେଳେ ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ସମାନ ପଦବୀରେ ସମାନ ସମୟ ପର୍ଯ୍ୟନ୍ତ ସେବା କରି ଅବସର ନେଇଥିବା ସଶସ୍ତ୍ର ବାହିନୀ କର୍ମଚାରୀଙ୍କ ପେନ୍‌ସନ୍‌ରେ ସମାନତା ଆଣିବା ଲକ୍ଷ୍ୟରେ ଓଆର୍‌ଓପି ନୀତି ଅଣାଯାଇଥିଲା। ଏହାକୁ ନେଇ କେନ୍ଦ୍ର ସରକାର ଅତିଶୟୋକ୍ତି କରୁଛନ୍ତି। ଓଆର୍‌ଓପି ଉପରେ ସରକାର ଯେପରି ଚିତ୍ର ଦେଖାଉଛନ୍ତି ତାହା ବାସ୍ତବତାଠାରୁ ଭିନ୍ନ। ୫ ବର୍ଷରେ ଥରେ ପର୍ଯ୍ୟାୟଭିତ୍ତିକ ସମୀକ୍ଷା ବଦଳରେ ପ୍ରତିବର୍ଷ ଓଆର୍‌ଓପିରେ ସ୍ବତଃ ସଂଶୋଧନ ନିମନ୍ତେ ଆବେଦନକାରୀ ଇଣ୍ଡିଆନ୍‌ ଏକ୍ସ-ସର୍ଭିସମ୍ୟାନ ମୁଭ୍‌ମେଣ୍ଟ ପକ୍ଷରୁ କୁହାଯାଇଛି। ଓଆର୍‌ଓପିର କୌଣସି ବିଧିବଦ୍ଧ ସଂଜ୍ଞା ମଧ୍ୟ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆସନ୍ତା ୨୩ ତାରିଖରେ ଏହି ମାମଲାର ଶୁଣାଣି ହେବ।

Share