Categories: ଫୁରସତ

ଦୁନିଆର ବିଭତ୍ସ ଖାଦ୍ୟ, ଯାହାକୁ ଖାଇବା ସମୟରେ ରୁମାଲରେ ମୁଣ୍ଡ ଢାଙ୍କନ୍ତି ଲୋକ

ଅନେକ ରେଷ୍ଟୁରାଣ୍ଟରେ ଏପରି କିଛି ସ୍ପେଶାଲ ଡିସ୍‌ ଥାଏ ଯାହା ଗ୍ରାହକଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ଏପରି ଏକ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଦୁନିଆର ସବୁଠାରୁ ଘୃଣ୍ୟ ଖାଦ୍ୟ ହେଲେ ବି ରେଷ୍ଟୁରାଣ୍ଟର ଏହି ଖାଦ୍ୟକୁ ଲୋକେ ଖୁବ୍‌ ପସନ୍ଦ କରନ୍ତି। ଏବଂ ଏହାର ଚାହିଦା ମଧ୍ୟ ଖୁବ୍‌ ଅଧିକ। ଆଶ୍ଚର୍ଯ୍ୟକର କଥା ହେଉଛି ପସନ୍ଦିଆ ହେଲେ ବି ଏହାକୁ ଖାଇବା ସମୟରେ ଲୋକେ ରୁମାଲରେ ମୁହଁ ଲୁଚାଇ ଖାଇଥାନ୍ତି।

ଏହି ଫ୍ରେଞ୍ଚ ଡିସଟିର ନାଁ ହେଉଛି ଓର୍ଟୋଲାନ ବଣ୍ଟିଙ୍ଗ। ଯାହା ଓର୍ଟୋଲାନ ବଣ୍ଟିଙ୍ଗ ନାମକ ପକ୍ଷୀକୁ ମାରି ପ୍ରସ୍ତୁତ କରାଯାଇଥାଏ। କୋଇଲି ଭଳି ଗାଉଥିବା ପକ୍ଷୀଟି ବର୍ତ୍ତମାନ ଦୁର୍ଲଭ ହୋଇସାରିଛି। ଏହି ପକ୍ଷୀ ମଙ୍ଗୋଲିଆରୁ ୟୁରୋପ ପର୍ଯ୍ୟନ୍ତ ଦେଖାଯିବା ସହ ଆଫ୍ରିକାରେ ମଧ୍ୟ ଦେଖାଯାଏ। ଏହି ପକ୍ଷୀକୁ ଶିକାର କରିବାର ପଦ୍ଧତି ଅତ୍ୟନ୍ତ ଭୟଙ୍କର। ଏହାକୁ ପ୍ରଥମେ ଜାଲ ପକାଇ ଧରାଯାଏ ପରେ ତାର ଉଭୟ ଆଖିକୁ ଫୁଟାଇ ଅନ୍ଧ କରାଯାଏ ଏବଂ ପରେ ତାଙ୍କୁ ଏକ ଛୋଟ ବାକ୍ସରେ ବନ୍ଦ କରାଯାଇଥାଏ।

ଓର୍ଟୋଲାନକୁ ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ବାକ୍ସରେ ବନ୍ଦ ରଖାଯାଇଥାଏ ଏବଂ ଏହି ସମୟ ମଧ୍ୟରେ ତାଙ୍କୁ ବହୁତ ଖାଇବାକୁ ଦିଆଯାଏ। ଯେହେତୁ ସେମାନଙ୍କର ଆଖି ନାହିଁ, ସେମାନେ ଟିକେ ଦ୍ୱନ୍ଦ୍ୱରେ ପଡି ଅନେକ ଶସ୍ୟ ଏବଂ ମଞ୍ଜି ଖାଇଥା’ନ୍ତି। ଯେଉଁ କାରଣରୁ ସେମାନେ ସେମାନଙ୍କର ମୂଳ ଆକାରଠାରୁ ପ୍ରାୟ ତିନି ଗୁଣ ମୋଟା ହୋଇଯାଆନ୍ତି। ତାପରେ ସେଗୁଡିକ ଏକ ପାତ୍ରରେ ଫୋପାଡି ଦିଆଯାଏ ଯାହା ଆର୍ମାଗନାକ ବ୍ରାଣ୍ଡିରେ ଭର୍ତ୍ତି ଥାଏ। ତା’ପରେ ସେମାନଙ୍କୁ ସେଠାରୁ ବାହାର କରି ପ୍ରାୟ ୮ ମିନିଟ ପର୍ଯ୍ୟନ୍ତ ଫ୍ରାଏ କରାଯାଏ ଏବଂ ଏହା ପରେ ଖାଦ୍ୟପ୍ରେମୀଙ୍କୁ ପରଷା ଯାଏ।

କୁହାଯାଏ ଏହାକୁ ଖାଇବା ବହୁତ କଷ୍ଟକର। ବେଳେବେଳେ ଏହି ପକ୍ଷୀର ଛୋଟ ଅସ୍ଥି ଓ ଥଣ୍ଟ ଦାନ୍ତରେ ଫସିଯାଇଥାଏ। କେବଳ ଏତିକି ନୁହେଁ, ଏହାର କିଛି ଅଂଶ ଅଛି ଯାହାକୁ ଲୋକମାନେ ଗିଳିବା ଏବଂ ଛେପ ଢୋକିବାକୁ ମଧ୍ୟ ଅସମର୍ଥ ହୋଇପଡନ୍ତି। ସେଥିପାଇଁ ଲୋକମାନେ ଏହାକୁ ଖାଇବା ସମୟରେ ମୁଣ୍ଡକୁ ସମ୍ପୂର୍ଣ୍ଣ ଆଚ୍ଛାଦନ କରଥାନ୍ତି। ଏଥି ସହିତ, କିଛି ଲୋକ ଏପରି କୁହନ୍ତି ଯେ ଏହି ସୁନ୍ଦର ପକ୍ଷୀ ଖାଇବା ପାପ ଅଟେ। ସେଥିପାଇଁ ଲୋକମାନେ ଏହାକୁ ଖାଇବା ସମୟରେ ମୁଣ୍ଡ ଘୋଡାଇ ରଖନ୍ତି ଯାହାଦ୍ୱାରା ଭଗବାନ ସେମାନଙ୍କୁ ଦେଖି ପାରିବେ ନାହିଁ।

ସୂଚନାଯୋଗ୍ୟ, ୧୯୯୯ରେ ଯଦିଓ ଏହି ପକ୍ଷୀ ଶିକାରକୁ ନିଷେଧ କରାଯାଇଥିଲା, ତଥାପି ଏହାର ଶିକାର ଅନେକ ସ୍ଥାନରେ ଚାଲିଥିଲା ଏବଂ ଏହାକୁ ମାରି ରେଷ୍ଟୁରାଣ୍ଟରେ ପରଷା ମଧ୍ୟ ଯାଉଥିଲା। ବର୍ତ୍ତମାନ ୟୁରୋପୀୟ ୟୁନିଅନରେ ଓର୍ଟୋଲାନକୁ ହତ୍ୟା ଏବଂ ରାନ୍ଧିବା ଉପରେ ଏକ ନିଷେଧାଦେଶ ଜାରି କରିଛି।

Share