ଓଏସ୍‌ଏଲ୍‌ ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର,୭।୯(ବ୍ୟୁରୋ): ପାରାଦୀପ ବନ୍ଦରରେ କନଭେୟର ବେଲ୍ଟ ମରାମତି ପାଇଁ ହୋଇଥିବା ଲାଞ୍ଚ କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସ୍‌ଏଲ୍‌)ର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କୁ ମଙ୍ଗଳବାର ଜାମିନ ମିଳିଛି। ସ୍ବତନ୍ତ୍ର ସିବିଆଇ କୋର୍ଟ ଚର୍ଚ୍ଚିତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ ସେ ମାସେ ପରେ ଜେଲରୁ ମୁକୁଳିଛନ୍ତି। ଚର୍ଚ୍ଚିତ ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ। ଏଥିସହ ବିନା ଅନୁମତିରେ ବିଦେଶଗସ୍ତ କରିପାରିବେ ନାହିଁ ଏବଂ ପ୍ରତି ୧୫ଦିନରେ ଥରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୋର୍ଟ ତାଙ୍କ ସର୍ତ୍ତରେ ଉଲ୍ଲେଖ କରିଛନ୍ତି। ୧ଲକ୍ଷ ଟଙ୍କା ଓ ପାସପୋର୍ଟ ଦାଖଲ ସହ ଦୁଇ ଜାମିନଦାରଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ଚର୍ଚ୍ଚିତଙ୍କୁ ଜାମିନ ମିଳିଛି। ଅନ୍ୟପକ୍ଷରେ ଜାଣିଶୁଣି ଆକ୍ରୋଶମୂଳକ ଭାବେ ଓଡ଼ିଆ ବ୍ୟବସାୟୀଙ୍କୁ ହଇରାଣ କରାଯାଉଥିବା ଚର୍ଚ୍ଚିତଙ୍କ ଓକିଲ ଜୟଦୀପ ପାଲ୍‌ କହିଛନ୍ତି। ସୂଚନାଯୋଗ୍ୟ, ପାରାଦୀପ ବନ୍ଦରରେ କାର୍ଗୋ ଅନ୍‌ଲୋଡ଼ିଂ ବେଳେ ଓଏସ୍‌ଏଲ୍‌ କନ୍‌ଭେୟର ବେଲ୍ଟ ଛିଡ଼ାଇଦେଇଥିଲା। ଏଥିପାଇଁ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ପୋର୍ଟ ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଲାଞ୍ଚ କାରବାର କରିଥିଲେ। ଲାଞ୍ଚ କାରବାର କଥା ସିବିଆଇ ଜାଣିବା ପରେ ଗତ ଅଗଷ୍ଟ ୪ ତାରିଖ ରାତିରେ ୬ଟି ଟିମ୍‌ ପାରାଦୀପ ବନ୍ଦର ସମେତ କଟକ, ଭୁବନେଶ୍ୱର ଆଦି ସ୍ଥାନରେ ଚଢାଉ କରି ୮୪ ଲକ୍ଷ ଟଙ୍କା ଜବତ କରିଥିଲା। ପରେ ସିବିଆଇ ଓଏସ୍‌ଏଲ୍‌ ନିର୍ଦ୍ଦେଶକ ଚର୍ଚ୍ଚିତ, ଡିଜିଏମ୍‌ (ଅପରେଶନ) ସୂର୍ଯ୍ୟନାରାୟଣ ସାହୁ, କେସିଟି ଗ୍ରୁପ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି, ବିଲ୍ଡର ଶିଶିର ଦାସ, ପାରାଦୀପ ପୋର୍ଟ ସିଏମ୍‌ଇ ସରୋଜ ଦାସ ଏବଂ ମଧ୍ୟସ୍ଥ ସୁମନ୍ତ ରାଉତଙ୍କ ସମେତ ୭ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାରେ ବିଲ୍ଡର ଶିଶିର ଦାସଙ୍କୁ ଜାମିନ ମିଳିଥିବାବେଳେ ଅନ୍ୟମାନଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ତେବେ ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଏକ ଭଏସ୍‌ ରେକର୍ଡିଂ ସିବିଆଇ ହାତରେ ଲାଗିଥିବାରୁ ଏନେଇ ସ୍ପଷ୍ଟ ହେବା ଲାଗି ଫୋରେନ୍‌ସିକ ଯାଞ୍ଚ ଲାଗି ଅନୁମତି ଦେବାକୁ କୋର୍ଟରେ ଆବେଦନ କରାଯାଇଥିଲା। ତେବେ ଚର୍ଚ୍ଚିତଙ୍କୁ ପୁଣି ରିମାଣ୍ଡରେ ନେବା ଓ ତାଙ୍କ ଭଏସ୍‌ ଟେଷ୍ଟ କରିବା ନେଇ ସିବିଆଇର ଆବେଦନକୁ ଗତ ୨୭ ତାରିଖରେ କୋର୍ଟ ଖାରଜ କରିଦେଇଥିଲେ।

Share