କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ ବାଲେଶ୍ୱର ଏସ୍‌ପି

ବାଲେଶ୍ୱର,୨୯ା୭(ମାନସ ବିଶ୍ୱାଳ): ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ (ଓଏସ୍‌ଏସ୍‌ସି) ଜେଇ ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ମାଷ୍ଟରମାଇଣ୍ଡ ଏବଂ ରାଜ୍ୟର ଦୁଇଜଣ ଶିକ୍ଷକ ସମ୍ପୃକ୍ତ ଥିବାରୁ ସମସ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବାଲେଶ୍ୱର ଜିଲା ଏସ୍‌ପି ସାଗରିକା ନାଥ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଏନେଇ ଶୁକ୍ରବାର ସୂଚନା ମିଳିଛି।
ଏହି ମାମଲାର ମାଷ୍ଟରମାଇଣ୍ଡ ବିହାର ରାଜ୍ୟର ବିଶାଲ କୁମାର ଚୌରାସିଆ (୩୫) ପାଟନା ଆକାଉଣ୍ଟାଣ୍ଟ ଜେନେରାଲ(ଏଜି)ଙ୍କ ଅଫିସ୍‌ର ଜଣେ ବରିଷ୍ଠ କର୍ମଚାରୀ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିହାର ଏଜିଙ୍କୁ ଚିଠି ଲେଖିଛନ୍ତି ବାଲେଶ୍ୱର ଏସ୍‌ପି। ସେହିପରି ଯାଜପୁର ଜିଲାର ସୁଶାନ୍ତ କୁମାର ସାହୁ (୪୨) ଶିକ୍ଷକ ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯାଜପୁର ଡିଇଓଙ୍କୁ ଏବଂ ଗଞ୍ଜାମ ଜିଲାର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ (୩୩) କନ୍ଧମାଳ ଜିଲାରେ ଶିକ୍ଷକତା କରୁଥିବାରୁ କନ୍ଧମାଳ ଡିଇଓଙ୍କୁ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚିଠି ଲେଖିଥିବା ଜଣାପଡ଼ିଛି। ଏଥିସହିତ ଡିଲ୍‌ରେ ସମ୍ପୃକ୍ତ ୮୮ ପ୍ରାର୍ଥୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଓଏସ୍‌ଏସ୍‌ସିକୁ ଚିଠି ଲେଖିଥିବା ବେଳେ ଭବିଷ୍ୟତରେ ଓଏସ୍‌ଏସ୍‌ସି ସମସ୍ତ ପରୀକ୍ଷାରୁ ସେମାନଙ୍କୁ ନିବୃତ୍ତ ରଖିବାକୁ ଚିଠି ଲେଖିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୧୬ ତାରିଖରେ ଓଏସ୍‌ଏସ୍‌ସି ଜେଇ ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ନେଇ ବାଲେଶ୍ୱର ପୋଲିସକୁ ସୂଚନା ମିଳିଥିଲା। ସ୍ବତନ୍ତ୍ର ଟିମ୍‌ ମାଧ୍ୟମରେ ସହଦେବଖୁଣ୍ଟା ଥାନା ଅ୧୬ ନଂ. ଜାତୀୟ ରାଜପଥର ବାରୁଣୀ ବ୍ରିଜ୍‌ଠାରେ ଏକ ଗ୍ରୁପ୍‌କୁ ଠାବ କରାଯାଇ ସେମାନଙ୍କ ନିକଟରୁ ତଥ୍ୟ ଅନୁସାରେ ଅନ୍ୟ ଏକ ଗ୍ରୁପ୍‌କୁ ଦୀଘା ନିକଟ ଏକ ହୋଟେଲରୁ ମୋଟ ୯ଜଣଙ୍କୁ ଗିରଫ କରାଯାଇଥିଲା। ଏନେଇ ସହଦେବଖୁଣ୍ଟା ଥାନାରେ ମାମଲା (ନଂ. ୩୦୩/୨୩) ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇଥିଲା। ସେମାନଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ବାଲେଶ୍ୱର ପୋଲିସର ସ୍ବତନ୍ତ୍ର ଟିମ୍‌ ବିହାର, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରୁ ମାଷ୍ଟରମାଇଣ୍ଡଙ୍କ ସହ ୮ଜଣଙ୍କୁ ଗିରଫ କରିଥିଲା। ମୋଟ ଗିରଫ ୧୭ଜଣଙ୍କ ଠାରୁ ୨୫ଟି ମୋବାଇଲ, ୩ଟି ଦସ୍ତଖତ ଥିବା ବ୍ଲାଙ୍କ ଚେକ୍‌, ୩ଟି ଅରିଜିନାଲ ସାର୍ଟିଫିକେଟ୍‌, ଗୋଟିଏ ବସ୍‌, ଗୋଟିଏ ସ୍କ୍ରର୍ପିଓ, ୩ଟି କାର୍‌, ୨ଟି ଟ୍ରାଭେଲର୍ସ, ନଗଦ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିବା ଗତ ୨୭ ତାରିଖରେ ବାଲେଶ୍ୱର ଏସ୍‌ପି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ।