ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା: ମାଷ୍ଟରମାଇଣ୍ଡ ଗିରଫ

ବାଲେଶ୍ୱର,୨୭ା୭(ମାନସ ବିଶ୍ୱାଳ): ଓଏସ୍‌ଏସ୍‌ସି ଜେଇ ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ମାଷ୍ଟରମାଇଣ୍ଡଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ବାଲେଶ୍ୱର ପୋଲିସ। ମାଷ୍ଟରମାଇଣ୍ଡ ସମେତ ଅନ୍ୟ କେତେଜଣଙ୍କୁ ପୋଲିସ ଧରିଛି । ପୂର୍ବରୁ ଏହି ମାମଲାରେ ୯ ଜଣ ଗିରଫ ହୋଇଥିଲେ। ତେବେ ଗୁରୁବାର ଅପରାହ୍ନରେ ପ୍ରେସମିଟ୍‌ କରି ବାଲେଶ୍ୱର ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସବିଶେଷ ତଥ୍ୟ ରଖିବେ।

ସୂଚନାଯୋଗ୍ୟ, କିଛିଦିନ ତଳେ ଓଏସ୍‌ଏସ୍‌ସି ଜେଇ ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବାରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ଏହି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ୯ ଜଣଙ୍କୁ ଗିରଫ କରିଥିଲା ପୋଲିସ। ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିଲା। ରାଜ୍ୟ ବାହାରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ଲୁଚିଥିବା ନେଇ ସୂଚନା ପାଇଥିଲା ତଦନ୍ତକାରୀ ଟିମ। ପରେ ରାଜ୍ୟ ବାହାରକୁ ଯାଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ ସମେତ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ରାଜ୍ୟ ବାହାରୁ ଗିରଫ କରିଛି। ତେବେ ଏହି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

Share