ହେଲ୍‌ଥ ଓ୍ବାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ,୩।୧:ମଲ୍ଟି ପର୍ପସ ହେଲ୍‌ଥ ଓ୍ବାର୍କର(ଏମପିଏଚଡବ୍ଲ୍ୟୁ) ନିଯୁକ୍ତି ଉପରେ ରୋକ ଲଗାଇବାକୁ ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିସନ (ଓଏସଏସଏସ୍‌ସି)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୦୨୪ରେ ଓଏସଏସଏସସି ରାଜ୍ୟରେ ମୋଟ ୨୭୫୩ଟି ପଦବୀ ପୂରଣ କରିବା ଲକ୍ଷ୍ୟରେ ଏମପିଏଚଡବ୍ଲୁର ଫଳାଫଳ ଘୋଷଣା କରିଥିଲ। ଓଏସଏସଏସସି ଏମପିଏଚଡବ୍ଲ୍ୟୁ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଅନେକ ପ୍ରାର୍ଥୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏମପିଏଚଡବ୍ଲ୍ୟୁ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ।
ଏମପିଏଚଡବ୍ଲ୍ୟୁ ନିଯୁକ୍ତି ପାଇଁ ୧୦୦ ମାର୍କର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଭୁଲ ଉତ୍ତର ପାଇଁ ନେଗେଟିଭ ମାର୍କିଂ ହୋଇଥିଲା। ପରେ ୧୩ଟି ଉତ୍ତର ଭୁଲ ଥିବା ବେଳେ ୮ଟି ପ୍ରଶ୍ନର ଉତ୍ତରକୁ ନେଇ କୌଣସି ସ୍ପଷ୍ଟତା ନ ଥିବା ଅଭିଯୋଗ ହୋଇଥିଲା। ଏହାପରେ ଅନେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଖାଲି ପଡ଼ିଥିବା ୧.୧ ଲକ୍ଷ ସରକାରୀ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଓଏସଏସଏସସି, ଓପିଏସସି ଅଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଥିଲେ। ସ୍ବାସ୍ଥ୍ୟ, ଗୃହ, ଶିକ୍ଷା ଏବଂ କୃଷି ଭଳି ଅତ୍ୟାବଶ୍ୟକ ସେବାରେ ଖାଲି ଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯିବା ଉଚିତ। ଯାହାଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକ ପ୍ରଭାବଶାଳୀ ଏବଂ ଦକ୍ଷତାର ସହ କାର୍ଯ୍ୟ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିଭାଗରେ ପ୍ରାୟ ୧ ଲକ୍ଷ ୧୦ ହଜାର ୫୫୭ ପଦବୀ ଖାଲି ପଡ଼ିଛି। ରାଜ୍ୟ ସରକାର ୫ ବର୍ଷରେ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ସହ ପ୍ରଥମ ଦୁଇ ବର୍ଷରେ ପ୍ରାୟ ୬୫,୦୦୦ ଖାଲି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Share