ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା

ଭୁବନେଶ୍ୱର/କଟକ ୨୨।୧(ଅସମାପିକା ସାହୁ/କାର୍ତ୍ତିକ ସାହୁ): ବିଭିନ୍ନ ସମସ୍ୟା ନେଇ ଫେବୃଆରୀ ପ୍ରଥମ ସପ୍ତାହରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)। ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟଙ୍କ ସହ ବିଭିନ୍ନ ସଙ୍ଗଠନ ଏହି ଆନ୍ଦୋଳନରେ ସାମିଲ ହେବେ। ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍‌ ପ୍ରଦାନ ଓଷ୍ଟାର ପ୍ରମୁଖ ଦାବି ରହିବ। ଏ ନେଇ ରବିବାର ଓଷ୍ଟା ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି, ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍‌ ପ୍ରଦାନ, ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ, ସପ୍ତମ ବେତନ ଓ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏକ ଜନପ୍ରିୟ ସରକାର ଜନମଙ୍ଗଳ ରାଷ୍ଟ୍ରରେ ସବୁବର୍ଗର କର୍ମଚାରୀଙ୍କ କଥା ବିଚାର କରୁଥିବାବେଳେ ଶିକ୍ଷକମାନଙ୍କ ପ୍ରତି ଏ ଅବିଚାର କାହିଁକି ବୋଲି ଦାଶ ପ୍ରଶ୍ନ କରିଛନ୍ତି। ଆସନ୍ତା ୩୧ ସୁଦ୍ଧା ଯଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନ କରନ୍ତି, ତେବେ ଫେବୃଆରୀ ପ୍ରଥମ ସପ୍ତାହରେ ଓଷ୍ଟା ମିଳିତ ଆନ୍ଦୋଳନକୁ ଓହ୍ଲାଇବ। ଓଷ୍ଟାର ଆହ୍ବାନରେ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷା ପାଇଁ ହଜାର ହଜାର ସଂଖ୍ୟାରେ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ଅଭିଭାବକ, ପୁରାତନ ଛାତ୍ର ଓ ପ୍ରାଥମିକଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଏବଂ ଶିକ୍ଷାକର୍ମଚାରୀଙ୍କୁ ନେଇ ଏକ ମହାସମାବେଶ ଭୁବନେଶ୍ୱରସ୍ଥିତ ଗାନ୍ଧିମାର୍ଗରେ କରାଯିବ। ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସି ରହିବେ। ସରକାର ସମସ୍ୟାଗୁଡ଼ିକର ସମାଧାନ ନ କରି ଅଯଥା ଟାଳଟୁଳ ନୀତି ଅବଲମ୍ବନ କରିବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନ କରିବା, ଚାକିରି ସର୍ତ୍ତାବଳୀ ଓ ଅବସର ପରେ ଶିକ୍ଷକମାନଙ୍କୁ ପେନସନ୍‌ ନ ଦେବା ଆଦି ବୈମାତୃକ ମନୋଭାବ ଶିକ୍ଷକମାନଙ୍କୁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଛି ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

Share