ରବିବାର ଶିକ୍ଷାଦାନ ବନ୍ଦ ନ କଲେ ଆଇନର ଆଶ୍ରୟ ନେବ ଓଷ୍ଟା

ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ଗତ ଜାନୁୟାରୀ ୮ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି। ସରକାର ୧୦୦ ଦିନର ଶିକ୍ଷାଦାନ ଅବଧି ସ୍ଥିର କରି ରବିବାର ଶିକ୍ଷାଦାନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାଦ୍ୱାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିକ୍ଷକ କର୍ମଚାରୀଙ୍କ ମୌଳିକ ଅଧିକାର ଓ ଆଦର୍ଶ ଶ୍ରମ ଆଇନ୍‌ର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଅଭିଯୋଗ କରାଯାଇଛି। ରବିବାର ଶିକ୍ଷାଦାନ ବନ୍ଦ ନ କଲେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବୁ ବୋଲି ଓଷ୍ଟା ଚେତାବନୀ ଦେଇଛି।
ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, କରୋନା ସମୟରେ ୯ମାସ ଧରି ଶିକ୍ଷକ ବା କର୍ମଚାରୀମାନେ ସରକାରଙ୍କ ନିର୍ଦ୍ଦେଶିତ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ପାଳନ କରିଛନ୍ତି। କୋଭିଡ୍‌ ଦାୟିତ୍ୱ ଅନୁପାଳନ କରି ଅନେକ ସ୍ଥାନରେ ଶିକ୍ଷକମାନେ ସଂକ୍ରମଣର ଶିକାର ହୋଇଛନ୍ତି ଓ କେତେଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏହାପରେ ରବିବାରରେ ଶିକ୍ଷାଦାନ କରିବା ପାଇଁ ବାଧ୍ୟ କରି ସରକାର ଶିକ୍ଷକଙ୍କୁ ଗୋତି ଶ୍ରମିକଭଳି ବ୍ୟବହାର କରୁଛନ୍ତି। ଶିକ୍ଷକମାନେ ନିର୍ବିକାର ଭାବରେ ଏକମାସ ଧରି କାର୍ଯ୍ୟକରି ଆସିଲେଣି। ଠିକ୍‌ ସମୟରେ ପାଠ୍ୟଖସଡ଼ା ଶେଷ ହେବ। ତଥାପି ଯଦି ସରକାର ପୁନଶ୍ଚ ଶିକ୍ଷକଙ୍କୁ ରବିବାରରେ କାର୍ଯ୍ୟ କରିବା ପାଇଁ ବାଧ୍ୟ କରନ୍ତି ତେବେ ରାଜ୍ୟର ଅଗଣିତ ଶିକ୍ଷକ ସରକାରଙ୍କୁ ଏ ଦିଗରେ ଅସହଯୋଗ କରିବେ। ଏଭଳି ସମ୍ବେଦନଶୀଳ ବିଷୟ ଉପରେ ସରକାର ତୁରନ୍ତ ପୁନର୍ବିଚାର କରନ୍ତୁ। ଏଥିସହିତ ନବମଠାରୁ ଏକାଦଶ ଶ୍ରେଣୀରେ ଶିକ୍ଷାଦାନର ନିର୍ଘଣ୍ଟ ସ୍ଥିର କରିବା ପାଇଁ ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ପ୍ରଦାନ କରନ୍ତୁ। ନଚେତ୍‌ ଏଥିପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ନିଜେ ଦାୟୀ ରହିବେ ବୋଲି ସେ କହିଛନ୍ତି।

Share