ଆଜି ଓଏସ୍‌ଏସ୍‌ଟିଇଟି: କପି କରି ଧରାପଡ଼ିଲେ ଜୀବନଯାକ ପରୀକ୍ଷା ମନା

କଟକ ଅଫିସ,୮ା୨: ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ବୁଧବାର ଅନୁଷ୍ଠିତ ହେବ। କୋଭିଡ୍‌ କଟକଣା ମଧ୍ୟରେ ରାଜ୍ୟର ୩୩୮ଟି କେନ୍ଦ୍ରରେ ୭୨,୨୮୦ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏଥିପାଇଁ ୪୦ଟି ନୋଡାଲ ସେଣ୍ଟର କରାଯାଇଛି। ଚଳିତବର୍ଷ ଏହି ପରୀକ୍ଷାରେ କପି ରୋକିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ଏଥିରେ କପି କରି ଧରାପଡିବେ ସେମାନେ ଜୀବନ କାଳ ମଧ୍ୟରେ କେବେ ବି ଏହି ପରୀକ୍ଷା ଦେଇପାରିବେ ନାହିଁ। ଉକ୍ତ ପରୀକ୍ଷା ୨ଟି ସିଟିଂରେ ହେବ।
୬୮,୭୪୨ ଜଣ ପରୀକ୍ଷାର୍ଥୀ ପୂର୍ବାହ୍ନ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଦେବେ। ସେହିପରି ୩,୫୩୮ ଜଣ ପରୀକ୍ଷାର୍ଥୀ ଅପରାହ୍ନ ୧ଟାରୁ ୩.୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ଦେବେ। ପରୀକ୍ଷା ସୁପରିଚାଳନା ପାଇଁ ଜିଲା ଶିକ୍ଷା ଅଧିକାରୀମାନଙ୍କ ପକ୍ଷରୁ ସ୍କ୍ବାଡ୍‌, ବୋର୍ଡ ପକ୍ଷରୁ ୪୦ଟି ସ୍କ୍ବାଡ୍‌ ଏବଂ ୮ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ କଣ୍ଟୋଲ ରୁମ୍‌ ଖୋଲାଯାଇଛି। ବୋର୍ଡ ପକ୍ଷରୁ ୦୬୭୧୨୪୧୨୦୫୯, ୦୬୭୧୨୪୧୨୦୬୦ ନମ୍ବର ଜାରି କରାଯାଇଛି। ଏହି ନମ୍ବରରେ ବୋର୍ଡକୁ ଜରୁରୀ ସୂଚନା ଦିଆଯାଇପାରିବ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ଆଇସୋଲେସନ ରୁମ୍‌ ବ୍ୟବସ୍ଥା କରାଯାଇଛି ବୋଲି ମଙ୍ଗଳବାର ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା, ଉପ ସଭାପତି ନିହାର ରଞ୍ଜନ ମହାନ୍ତି ଓ ସଚିବ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ା

Share