ଗ୍ରେସ୍‌ ମାର୍କ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଓଟିଇଟି ପରୀକ୍ଷାର୍ଥୀ

କଟକ,୪ା୯ (କାର୍ତ୍ତିକ ସାହୁ):ଗ୍ରେସ୍‌ମାର୍କ ପ୍ରଦାନ ଦାବିରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷାର୍ଥୀମାନେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଧାରଣା ଦେଇଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ପରୀକ୍ଷାର୍ଥୀମାନେ ପୂର୍ବାହ୍ନ ୧୧ଟାରୁ ଧାରଣାରେ ବସିଥିଲେ। ତେବେ ବୋର୍ଡ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯିବା ପରେ ଆଗାମୀ ଦିନରେ ପରୀକ୍ଷାର୍ଥୀଙ୍କ ଅଭିଯୋଗର ତଦନ୍ତ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନା ଅନୁସାରେ, ଗତ ମାସ ୧୭ ତାରିଖ ଅପରାହ୍ନରେ ହୋଇଥିବା ଓଟିଇଟି ପେପର-୨ ପରୀକ୍ଷା ସମୟରେ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ ସଂଯୋଗ କଟିଯାଇଥିଲା। ଅଧିକାଂଶ କେନ୍ଦ୍ରରେ ଆଲୋକ ନିମନ୍ତେ ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ପରୀକ୍ଷାର୍ଥୀମାନେ ଉତ୍ତର ଖାତାରେ ଲେଖି ପାରି ନ ଥିଲେ। ପରୀକ୍ଷାର୍ଥୀମାନେ ୧ରୁ ଦେଢ଼ ଘଣ୍ଟା ସମୟ ନଷ୍ଟ କରିଥିଲେ ମଧ୍ୟ ବିଦ୍ୟୁତ୍‌ ସରବରାହ ଠିକ୍‌ ହୋଇ ନ ଥିଲା। ଅପରପକ୍ଷରେ ଉତ୍ତର ଲେଖିବା ନିମନ୍ତେ ପରୀକ୍ଷାର୍ଥୀଙ୍କୁ ଅଧିକ ସମୟ ଦିଆଯାଇ ନ ଥିଲା, ଯଦ୍ଦ୍ବାରା ସେମାନେ ପେପର-୨ରେ ଗ୍ରେସ୍‌ ମାର୍କ ପ୍ରଦାନ କରିବାକୁ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ପରୀକ୍ଷା କେନ୍ଦ୍ରରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ସହ ଯେଉଁ ଜିଲାର ପରୀକ୍ଷାର୍ଥୀ ସେହି ଜିଲାରେ ପରୀକ୍ଷା ଦେବାର ସୁବିଧା କରିବା ପାଇଁ ଚଳିତବର୍ଷ ଓଟିଇଟି ପରୀକ୍ଷା ଆବେଦନ ଶୁଳ୍କ ବା ଫି’କୁ ବୃଦ୍ଧି କରାଯାଇଥିଲା। ମାତ୍ର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଆଲୋକ ବ୍ୟବସ୍ଥା ନ କରିବା ପରି ବିଷୟକୁ ନେଇ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ଓଟିଇଟି ପରୀକ୍ଷା ସମୟରେ ବିଦ୍ୟୁତ୍‌ କଟିଯିବା ନେଇ ସେତେବେଳେ ଯେଉଁ ପରୀକ୍ଷା କେନ୍ଦ୍ରରୁ ଅଭିଯୋଗ ଆସିଥିଲା ସେଠାରେ ଅଧିକ ସମୟ ଦେବାକୁ ବୋର୍ଡ ପକ୍ଷରୁ କୁହାଯାଇଥିଲା। ତେବେ ଧାରଣାକାରୀ ପରୀକ୍ଷାର୍ଥୀମାନେ ନିର୍ଦ୍ଦିଷ୍ଟ ଭାବେ ସେମାନଙ୍କ ପରୀକ୍ଷାକେନ୍ଦ୍ର, ରୋଲ୍‌ ନମ୍ବର ଆଦି ବୋର୍ଡକୁ ଜଣାଇଲେ ତାହାର ତଦନ୍ତ କରି ଗ୍ରେସ୍‌ ମାର୍କ ଦିଆଯିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ।