Advertisement

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ: ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ

ଦେବଗଡ଼,୧୫।୪: ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଓଟିଇଟି (ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା ବେଳେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର କେନ୍ଦ୍ର ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) କୁମୁଦ ବନ୍ଧୁ ପୃଷ୍ଟିଙ୍କୁ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରିଛନ୍ତି। ମୋବାଇଲରେ ପ୍ରଶ୍ନପତ୍ରର ଚିତ୍ର ଉତ୍ତୋଳନ କରିଥିବା ପରୀକ୍ଷାର୍ଥତ୍ନୀ ରଜନୀ ବେହେରାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସମ୍ବଲପୁର ଜିଲାପାଳ ତଥା ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ ସମ୍ବଲପୁର ଜିଲା ନାକଟିଦେଉଳ ୟୁଜିୟୁପି ସ୍କୁଲର କନିଷ୍ଠ ଶିକ୍ଷୟିତ୍ରୀ ପଦବୀରୁ ବହିଷ୍କୃତ କରିବା ସହ ଲଗାତର ୩ ବର୍ଷ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲେ। ଅନୁରୂପ ଭାବେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ମାଧ୍ୟମିକ ଶିକ୍ଷା ବୋର୍ଡଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିକ୍ଷା ଅଧିକାରୀ ବେହେରା ଗତ ୧୨ ତାରିଖରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ଗେଟ୍‌ ଚେକିଂ ଓ ଇନ୍‌ଭିଜିଲେଟର ଦାୟିତ୍ୱରେ ଥିବା ଶିକ୍ଷକ ସୁଶାନ୍ତ କୁମାର ରାୟ, ବିଶ୍ୱନାଥ କିଷାନ ଓ ଶିକ୍ଷୟିତ୍ରୀ (ରିଲିଭର) ରଞ୍ଜିତା ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share