Categories: ଜାତୀୟ

କେନ୍ଦ୍ରର ଓଟିଟି ଗାଇଡ୍‌ଲାଇନ୍‌ ଦନ୍ତହୀନ

ନୂଆଦିଲ୍ଲୀ,୬ା୩: ସୋସିଆଲ ମିଡିଆ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡ୍‌ଲାଇନର ଦାନ୍ତ ନାହିଁ। ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଅନୁପଯୁକ୍ତ କଣ୍ଟେଣ୍ଟ ଦେଖାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବ୍ୟବସ୍ଥା ଏହି ନିର୍ଦ୍ଦେଶାବଳୀରେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏହାସହ ଓଭର ଦି ଟପ୍‌ (ଓଟିଟି) ପ୍ଲାଟଫର୍ମ ଆମାଜନ ପ୍ରାଇମ୍‌ ଭିଡିଓର ଭାରତ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ଗିରଫଦାରିରୁ ସୁରକ୍ଷା ପ୍ରଦାନ କରିଛନ୍ତି। ‘ତାଣ୍ଡବ’ ଓ୍ବେବ୍‌ ସିରିଜ୍‌କୁ ନେଇ ଅପର୍ଣ୍ଣା ପୁରୋହିତଙ୍କ ବିରୋଧରେ ଏଫ୍‌ଆଇଆର୍‌ କରାଯାଇଥିଲା। ଅପର୍ଣ୍ଣା ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଆର.ଏସ୍‌. ରେଡ୍ଡୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପର୍ଣ୍ଣାଙ୍କ ପିଟିଶନର ଶୁଣାଣି କରି ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, କେନ୍ଦ୍ର ସରକାରଙ୍କ ସୋସିଆଲ ମିଡିଆ ରେଗୁଲେଶନ୍ସ କେବଳ ଗାଇଡ୍‌ଲାଇନ୍‌ ମାତ୍ର। ଡିଜିଟାଲ ପ୍ଲାଟଫର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ପର୍କରେ ଏଥିରେ କିଛି ନିୟମ କରାଯାଇ ନାହିଁ। ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ, ସରକାର ଉପଯୁକ୍ତ ପଦକ୍ଷେପ ନେଇ ବିଚାର କରିବେ ଏବଂ ଏହା ଉପରେ କୌଣସି ପ୍ରକାର ନିୟନ୍ତ୍ରଣ ବା ଆଇନ ବ୍ୟବସ୍ଥା କରାଗଲେ ଅଦାଲତଙ୍କୁ ସେନେଇ ଅବଗତ କରାଯିବ। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ମାମଲାରେ ପକ୍ଷଭୁକ୍ତ କରିବା ପାଇଁ ଅପର୍ଣ୍ଣାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ସୁପ୍ରିମକୋର୍ଟ କହିଥିଲେ, ଓଟିଟି କେତେକ ପ୍ଲାଟ୍‌ଫର୍ମରେ ପର୍ନୋଗ୍ରାଫିକ୍‌ କଣ୍ଟେଣ୍ଟ (ଅଶ୍ଳୀଳ ଭିଡିଓ) ଦେଖାଯାଉଛି। ଏଭଳି କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ଏକ ବ୍ୟବସ୍ଥା ରହିବା ଉଚିତ। ଏହାସହ ସୋସିଆଲ ମିଡିଆ ନିୟନ୍ତ୍ରଣ ପାଇଁ କି ଗାଇଡ୍‌ଲାଇନ୍‌ କରାଯାଇଛି ତା’ର ବିବରଣୀ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ। ଅପର୍ଣ୍ଣାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଉକ୍ତ ଏଫ୍‌ଆଇଆର୍‌କୁ ବିରୋଧ କରିଥିଲେ। କହିଥିଲେ, ଅପର୍ଣ୍ଣା ଆମାଜନ୍‌ର ଜଣେ କର୍ମଚାରୀ। ସେ ‘ତାଣ୍ଡବ’ର ପ୍ରଯୋଜକ କି ଅଭିନେତ୍ରୀ ନୁହନ୍ତି। ଏହାସତ୍ତ୍ୱେ ତାଙ୍କ ବିରୋଧରେ ଦେଶବ୍ୟାପୀ ୧୦ ମାମଲା ରୁଜୁ କରାଯିବା ଦୁର୍ଭାଗ୍ୟଜନକ।

ମାମଲା କ’ଣ

‘ତାଣ୍ଡବ’ ହେଉଛି ୯ ଅଧ୍ୟାୟ ବିଶିଷ୍ଟ ପଲିଟିକାଲ ଥ୍ରିଲର। ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶନା ତଥା ହିମାଂଶୁ ମେହେରାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଓ୍ବେବ୍‌ ସିରିଜରେ ବଲିଉଡ୍‌ କଳାକାର ସୈଫ୍‌ ଅଲି ଖାନ୍‌, ଡିମ୍ପଲ କାପାଡିଆ ଓ ଅହମ୍ମଦ ଜିଶାନ ଆୟୁବ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଓ୍ବେବ୍‌ ସିରିଜରେ ଉତ୍ତର ପ୍ରଦେଶ ପୋଲିସ, ହିନ୍ଦୁ ଦେବଦେବୀଙ୍କୁ ଭୁଲ୍‌ ଭାବେ ଉପସ୍ଥାପନ ସହ ପ୍ରଧାନମନ୍ତ୍ରୀ ଚରିତ୍ରକୁ ଖରାପ ଭାବେ ଚିତ୍ରଣ କରିଥିବା ନେଇ ଅପର୍ଣ୍ଣାଙ୍କ ବିରୋଧରେ ଅଭିଯୋଗ ରହିଛି।

Share