ସାମ୍ନାକୁ ଆସିଲା ‘ପଠାନ’ର ଓଟିଟି ରିଲିଜ୍‌ ତାରିଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ’ ସହିତ ଚାରି ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି। ଯାହାକୁ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କହିରଖୁଛୁ ଯେ ଶାହରୁଖଙ୍କ ଆକ୍ସନ ଫିଲ୍ମ ‘ପଠାନ’ ୨୫ ଜାନୁୟାରୀରେ ରିଲିଜ୍‌ ହେବ। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସୋମବାର ୟଶ ରାଜ ଫିଲ୍ମସ୍‌କୁ ଓଟିଟିରେ ରିଲିଜ୍‌ ପାଇଁ ଫିଲ୍ମରେ କିଛି ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏପ୍ରିଲ ୨୫ରେ ଓଟିଟି ପ୍ଲାଟ୍‌ଫର୍ମ ପ୍ରାଇମ ଭିଡିଓରେ ପଠାନ ରିଲିଜ୍‌ ହେବ ବୋଲି ଜଣାପଡିଛି। ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ ସେଣ୍ଟ୍ରାଲ ଫିଲ୍ମ ସାର୍ଟିଫିକେଟ୍‌ ବୋର୍ଡରୁ ଅନୁମୋଦନ ପାଇଛି। ଏହାପରେ ଏପ୍ରିଲ ୨୫ରେ ଓଟିଟିରେ ରିଲିଜ୍‌ ହେବାକୁ ନିଷ୍ପତ୍ତି ନିଆଯାଇଛି। ତଥାପି, ଏହା ପୂର୍ବରୁ ଏହାକୁ ରି- ସାର୍ଟିଫିକେଶନ ପ୍ରମାଣପତ୍ର ପାଇଁ ସିବିଏଫ୍‌ସିରେ ଦାଖଲ କରିବାକୁ କୁହାଯାଇଛି। ବାର୍‌ ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ, ମାର୍ଚ୍ଚ ୧୦ ସୁଦ୍ଧା ସିବିଏଫ୍‌ସି ନିଷ୍ପତ୍ତି ନେବାକୁ କୁହାଯାଇଛି। ତେବେ ଫିଲ୍ମ ରିଲିଜ୍‌ ପାଖେଇ ଆସୁଥିବାରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ ସମ୍ପର୍କରେ କୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଏପ୍ରିଲରେ ଓଟିଟିରେ ଆସିବ, ତେଣୁ ଓଟିଟି ସଂସ୍କରଣରେ ସମସ୍ତ ପରିବର୍ତ୍ତନ ଆଣିବା ଆବଶ୍ୟକ।

Share