Categories: ଖେଳ

‘ଆମର ଲକ୍ଷ୍ୟ ଚଳିତ ବର୍ଷ ବିଶ୍ୱକପ ଜିତିବା’

ମୁମ୍ବାଇ,୩।୧: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ମଙ୍ଗଳବାର ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେଉଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ଚଳିତ ବର୍ଷ ବିଶ୍ୱକପ ଜିତିବା ଟିମ ଇଣ୍ଡିଆର ଲକ୍ଷ୍ୟ। ଏହା ଉପରେ ଦଳ ଧ୍ୟାନ ଦେଉଛି। ଦୁର୍ଭାଗ୍ୟବଶତଃ ଆମେ ୨୦୨୨ରେ ଏହା କରିପାରିଲୁ ନାହିଁ, କିନ୍ତୁ ଆମେ ଚଳିତ ବର୍ଷ ଏହାକୁ ହାସଲ କରିବାକୁ ଚାହୁଁଛୁ।
ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ବୋଲିଂକୁ ନେଇ କହିଛନ୍ତି, ମୁଁ କେବଳ ଗୋଟିଏ କଥା ଜାଣେ, ତାହା କଠିନ ପରିଶ୍ରମ। ଆଘାତ ମୋ ହାତରେ ନାହିଁ। ବ୍ୟକ୍ତିଗତ ଭାବରେ ୨୦୨୨ ମୋର ଶ୍ରେଷ୍ଠ ବର୍ଷ ଥିଲା। ଯଦିଓ ଆମେ ବିଶ୍ୱକପ ଜିତିପାରିଲୁ ନାହିଁ, କିନ୍ତୁ ତାହା ଖେଳର ଏକ ଅଂଶ। ଦଳକୁ ଟୁର୍ନାମେଣ୍ଟ ଜିତାଇବାରେ ସାହାଯ୍ୟ କରିବା ମୋର ଲକ୍ଷ୍ୟ।
ସେହିପରି ଭାରତୀୟ ଦଳର ଉଇକେଟ୍‌କିପର ପନ୍ତଙ୍କ ସହ ଜଡିତ ପ୍ରଶ୍ନର ଉତ୍ତରରେ ହାର୍ଦ୍ଦିକ କହିଛନ୍ତି, ରିଷଭଙ୍କ ସହ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ ଥିଲା। ଆମର ପ୍ରାର୍ଥନା ତାଙ୍କ ସହିତ ଅଛି। ସେ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ତାଙ୍କ ଅନୁପସ୍ଥିତିରେ, ଅନ୍ୟମାନେ ଏକ ସୁଯୋଗ ପାଇବେ।

Share