ଡ. ନରେନ୍ଦ୍ର ସେଠୀ
ନିକଟରେ ତଥ୍ୟ ଚୋରି ଅଭିଯୋଗରେ ପିଲାମାନଙ୍କ ଦ୍ୱାରା ଅତି ଲୋକପ୍ରିୟ ତିନୋଟି ଗେମିଙ୍ଗ ଆପକୁ ଗୁଗଲ ପ୍ଲେଷ୍ଟୋରରୁ ବାହାର କରି ଦିଆଯାଇଛି । ଏହି ତିନୋଟି ଆପ ପ୍ରାୟ ଦୁଇ କୋଟି ପିଲାଙ୍କ ମୋବାଇଲରେ ଥିଲା ଓ ଏହାଦ୍ୱାରା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ବ୍ୟବସାୟିକ ଧନ୍ଦାରେ ଲଗେଇଥିବାର ଅଭିଯୋଗ ଲାଗିଛି। ଏପରି କି ପିଲାମାନଙ୍କ ସମ୍ପର୍କିତ ତଥ୍ୟ ଚୋରି ହୋଇ ବିକ୍ରି କରାଯାଇଛି ବୋଲି ମଧ୍ୟ ଆଶଙ୍କା ବ୍ୟକ୍ତ କରାଯାଉଛି । ବ୍ୟବହାରକାରୀର ଆଣ୍ଡ୍ରଏଡ ଆଇଡି ଦ୍ୱାରା ପିଲାମାନଙ୍କ ମାତାପିତାଙ୍କ ସମ୍ପର୍କିତ ତଥ୍ୟ ମଧ୍ୟ ଚୋରି ହୋଇଥିବାର ଭୟ ରହିଛି। ଅନେକ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନର ସାଇବର ଯୁଗରେ ତଥ୍ୟ ବା ଡାଟା ସେତିକି ଦରକାରୀ ଯେମିତି ଶିଳ୍ପାୟନ କ୍ରାନ୍ତିରେ ପେଟ୍ରୋଲର ମହତ୍ତ୍ୱ ଥିଲା।
ଇଣ୍ଟରନେଟ କମ୍ପାନୀଗୁଡିକର ଡାଟା ହେଉଛି ଆଗକୁ ଯିବା ପାଇଁ ଇନ୍ଧନ କହିଲେ ଭୁଲ୍ ହେବନି। ବର୍ତ୍ତମାନ ସମୟରେ ଡାଟା ଏକ ସବୁଠୁ ଜଟିଳ ଓ ମହଙ୍ଗା ବେପାର । ଆପଣଙ୍କ ହାତରେ ଥିବା ମୋବାଇଲ ଆପ୍ଗୁଡିକ ଆପଣଙ୍କର ନାମ, ବୟସ, ଜନ୍ମ ସ୍ଥାନ, ରୁଚି, ଅରୁଚି, ରାଜନୈତିକ ଦୃଷ୍ଟି ଇତ୍ୟାଦିର ସବୁ ତଥ୍ୟ ରଖେ। ଏସବୁ ତଥ୍ୟ ପରଦିନ ସକାଳ ହେବା ପୂର୍ବରୁ କୋଉ କୋଉ ସଂସ୍ଥାନଗୁଡିକ ବିକ୍ରି କରି ଦିଆଯାଉଛି । ମୋବାଇଲ ସର୍ଭର ଆପଣଙ୍କୁ ମୁକ୍ତ ସେବା ଦେବା ବଦଳରେ ଆପଣଙ୍କ ଆବଶ୍ୟକତା, ପସନ୍ଦ ଅପସନ୍ଦ, ପରିଚିତ ଅପରିଚିତ, ଅଭ୍ୟାସ, କିଣୁଥିବା ଜିନିଷ ଇତ୍ୟାଦିର ଡାଟା ଏକାଠି କରି ରଖେ। ଏହି ସବୁ ତଥ୍ୟକୁ ବିଶ୍ଳେଷକମାନେ ଅନୁଧ୍ୟାନ କରନ୍ତି ଓ ଆମ ଅଜାଣତରେ ଏହା ଅନେକ ଜାଗାରେ ବିକ୍ରି ସରିଥାଏ। ଏହି ବ୍ୟାପକ ଡାଟା ବେପାରରେ ଦଲାଲ ଅଛନ୍ତି ଆଉ କିଣୁଥିବା ଚୋର ତସ୍କର ମଧ୍ୟ। ଗ୍ଲୋବାଲ ବିଜନେସ ଦୁନିଆର ସବୁଠୁ ବଡ଼ ମୂଲ୍ୟବାନ ସମ୍ପତ୍ତି ଡାଟା ବା ତଥ୍ୟ। କମ୍ପାନୀମାନେ ତାଙ୍କର ବାଣିଜ୍ୟ ଲକ୍ଷ୍ୟ ପ୍ରାପ୍ତି ପାଇଁ ଏହି ଡାଟାକୁ ହାତେଇବାକୁ ଅନେଇ ରହନ୍ତି। ଏହି କାମରେ ସବୁଠୁ ବେଶି ଉପଯୋଗୀ ହୁଏ ମୋବାଇଲ ଆପ୍। ଏହା ଜରିଆରେ ଉପଯୋଗୀ ଗ୍ରାହକ ସମ୍ପର୍କିତ ଡାଟାକୁ ଚୋରି କରି ନିଆଯାଏ। ଯୋଉଥିପାଇଁ ବିଦେଶର ସବୁ କମ୍ପାନୀ ବୃହତ୍କାୟ ଭାରତୀୟ ବଜାରର ଡାଟା ନେବାକୁ ତତ୍ପରତା ପ୍ରକାଶ କରିଥାନ୍ତି I ତେବେ ନିକଟରେ ଭାରତ ସରକାରଙ୍କ ଏକ ଦୃଢ଼ ଓ କଠୋର ନିଷ୍ପତ୍ତି ଫଳରେ ୫୯ଟି ଲୋକପ୍ରିୟ ଚାଇନିଜ ଆପ୍କୁ ବ୍ୟାନ୍ କରାଗଲା। ଏଥି ମଧ୍ୟରେ ଟିକ୍ଟକ୍, କ୍ୟାମ ସ୍କାନର ଓ ହେଲୋ ପ୍ରଭୃତି ଆପ୍ ଅଛି।
ଭାରତ ସରକାରଙ୍କ ମତ ଅନୁଯାୟୀ ଏହି ଲୋକପ୍ରିୟ ଆପ୍ଗୁଡିକ ଜରିଆରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚାଇନା ପାଖରେ ପହଞ୍ଚୁଥିଲା, ଯାହା ଆମ ଦେଶର ସମ ପ୍ରଭୁତା ଓ ଅଖଣ୍ଡତା ସହ ସୁରକ୍ଷା ମଧ୍ୟ ବିପଦରେ ପଡିଥିଲା। ଏକ ଆକଳନ ଅନୁଯାୟୀ ଏହି ଚାଇନା ଆପ୍ଗୁଡିକର ଆୟର ଶତକଡା ତିରିଶରୁ ଚାଳିଶ ଭାଗ ଭାରତରୁ ଆସିଥାଏ। ଟିକ୍ଟକ୍ ଏବର୍ଷ ସେପ୍ଟେମ୍ବର ସୁଦ୍ଧା ଶହେ କୋଟି ଟଙ୍କା ଆୟ ଲକ୍ଷ୍ୟ କରିଥିବାର ଅନୁମାନ କରାଯାଏ। ସେହିପରି ଅନ୍ୟତମ ଚାଇନା କମ୍ପାନୀ ଆଲିବାବା ନିର୍ମିତ ୟୁସି ବ୍ରାଉସର ଭାରତରେ ୧୩ କୋଟି ଲୋକଙ୍କ ମୋବାଇଲ ଫୋନରେ ବ୍ୟବହାର କରାଯାଉଥିଲା। ଏହା ୨୦୧୮-୧୯ ଆର୍ଥିକବର୍ଷରେ ଭାରତରୁ ୨୨୬ କୋଟି ଟଙ୍କା ଆୟ କରିଥିଲା। ସୂଚନାଯୋଗ୍ୟ ଯେ, ୟୁସି ବ୍ରାଉସରର ଭାରତରେ କର୍ମଚାରୀ ସଂଖ୍ୟା ଶହେରୁ ମଧ୍ୟ କମ। ସେହିପରି ଶେୟାରିଟ ଭଳି ଫାଇଲ ଶେୟାରିଂ ଆପ୍ ଯାହାର ଭାରତରେ ୪୦ କୋଟିରୁ ଅଧିକ ବ୍ୟବହାରକାରୀ ଥିଲେ ଏହାର ଆୟ ୨୦୧୮-୧୯ରେ ୧୫ କୋଟି ଟଙ୍କା ଥିଲା I ଅନ୍ଲାଇନ ଜିନିଷ କିଣାବିକା କରୁଥିବା କ୍ଲବ ଫ୍ୟାକ୍ଟ୍ରି ବିଗତ ଆର୍ଥିକ ବର୍ଷରେ ୧୭୨ କୋଟି ଟଙ୍କାର ବାଣିଜ୍ୟ ଭାରତରେ କରିଥିଲା। ଏହି ସବୁ ଆପ ଜରିଆରେ ଭାରତ ବିରୋଧୀ ଗତିବିଧିକୁ ବଢ଼େଇବାରେ ଚାଇନା ଲାଗିଥିଲା। ନିକଟରେ ଯୁକ୍ତରାଷ୍ଟ୍ର ଆମେରିକା ଚାଇନାର ବୃହତ୍ ସଫ୍ଟଓୟାର କମ୍ପାନୀ ହୁଏଇ ଓ ଜେଟିଇକୁ ବ୍ଲାକ ଲିଷ୍ଟ କରିଛି। ଏହା ପୂର୍ବରୁ ଆମେରିକାର ସରକାରୀ ସ୍ମାର୍ଟ ଫୋନଗୁଡିକରେ ଚାଇନା ଆପ୍କୁ ବାସନ୍ଦ କରାଯାଇଥିଲା । ଚାଇନା କିପରି ଆମର ବ୍ୟକ୍ତିଗତ ତଥ୍ୟ ଚୋରାଇ ନିଏ ତାହାର ଏକ ବଢିଆ ଉଦାହରଣ ହେଲା କ୍ୟାମ ସ୍କାନର ଆପ୍। ଏହି ଆପ୍ ଜରିଆରେ ଆପଣ ଯାହା ସ୍କାନ କରିବେ ତାହା ଚାଇନା ପହଞ୍ଚତ୍ ଥାଏ ଓ ସେଠାରେ ଥିବା ସର୍ଭରରେ ଜମା ହୁଏ। ତେଣୁ ଏପର୍ଯ୍ୟନ୍ତ କିପରି ଭାବରେ ଓ କେତେ ତଥ୍ୟ ଚାଇନା ଆମ ସ୍ମାର୍ଟ ଫୋନରୁ ଚୋରି କରିଛି ତାହା କଳ୍ପନା କରା ଯାଇ ପାରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚାଇନା ୨୦୦୮ରେ ଆମେରିକାର ପ୍ରସିଦ୍ଧ ସାଇଆଲ ମିଡିଆ ଆପ୍ ଫେସବୁକ୍କୁ ଡାଟା ଚୋରି ଅଭିଯୋଗରେ ବ୍ୟାନ୍ କରିଥିଲା। ଏପରି କି ଚାଇନାରେ ୱାଟ୍ସଆପ, ନେଟଫ୍ଲିକ୍ସ, ଗୁଗଲ ପ୍ରଭୃତି ଲୋକପ୍ରିୟ ଆପ୍ର ମଧ୍ୟ ବିକଳ୍ପ ଅଛି। ସେମାନେ ବିଦେଶୀ ଆପ୍ ବ୍ୟବହାର କରନ୍ତି ନାହିଁ।
ବିଗତ କିଛିଦିନ ଭିତରେ ଅଷ୍ଟ୍ରେଲିଆ ଓ ଆମେରିକାରେ ଯୋଉଭଳି ଭାବରେ ଚାଇନା ହ୍ୟାକରମାନଙ୍କର ପ୍ରାଦୁର୍ଭାବ ରହିଲା ସେଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଚାଇନା ସାଇବର କ୍ରାଇମରେ ମଧ୍ୟ ପାରଙ୍ଗମ ହାସଲ କରିଛି। ତେବେ ଏହି ସବୁ ଆପ୍ ବ୍ୟାନ ହେବା ଫଳରେ କେତେ ଆର୍ଥିକ କ୍ଷତି ଚାଇନାକୁ ଭୋଗିବାକୁ ପଡିଲା ତାହାର ପ୍ରକୃତ ଆକଳନ କରିବା ମୁସ୍କିଲ। କାରଣ ପ୍ରାୟ ସବୁ ଆପ୍ ମାଗଣାରେ ମିଳେ ଓ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଲେ ବିଜ୍ଞାପନ ଜରିଆରେ ଆୟ ହୋଇଥାଏ। ଏଠାରେ ଉଲେଖଯୋଗ୍ୟ ଯେ, ୨୦୧୯ରେ ଡାଉନ୍ ଲୋଡ଼ ହୋଇଥିବା ଆପ୍ଗୁଡିକ ମଧ୍ୟରେ ଟିକ୍ଟକ୍ ସବୁଠୁ ଉପରେ ଥିଲା ଓ ଲିଷ୍ଟରେ ପ୍ରଥମ ଦଶଟି ଆପ୍ ମଧ୍ୟରେ ଛ’ଗୋଟି ଆପ୍ ଚାଇନାର ଥିଲା। ସବୁଠୁ ରୋଚକ ତଥ୍ୟ ହେଲା ଭାରତରେ ୨୦୧୫ ପର୍ଯ୍ୟନ୍ତ ଆମେରିକୀୟ ଆପ୍ଗୁଡିକର ଦବଦବା ଥିଲା, ମାତ୍ର ଚାରିବର୍ଷ ମଧ୍ୟରେ ଚାଇନା ଆପ୍ ଗୁଡିକ ଭାରତରେ କାୟା ବିସ୍ତାର କରିଥିଲେ।
୨୦୧୭ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ତା’ର ସବୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଜ ଫୋନରେ ଚାଇନା ଆପ୍କୁ ବ୍ୟବହାର ନ କରିବା ପାଇଁ ଏକ ଆଦେଶନାମା ଜାରି କରିଥିଲା। ବିଳମ୍ବରେ ହେଉ ପଛେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଆମର ଡାଟା ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଭାରତୀୟ ଆପ୍ ନିର୍ମାତାଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେବ। ଏହା ଚାଇନା ଉପରେ ଆମର ନିର୍ଭରତାକୁ କମ୍ କରିବା ସଙ୍ଗେ ସଙ୍ଗେ ଆତ୍ମ ନିର୍ଭରଶୀଳ ଭାରତ ଆଡ଼କୁ ଅଗ୍ରସର ହେବ। ଯେହେତୁ ଚାଇନା ଲୋକାଲ ବଜାରକୁ ଓ ଉତ୍ପାଦନକାରୀଙ୍କୁ ଶେଷ କରିଦିଏ ସେଥିନେଇ ତା’ର ଆଧିପତ୍ୟକୁ କମ୍ କରିବା ନିହାତି ଜରୁରୀ। ତେବେ କେବଳ ଆପ୍ ବ୍ୟାନ୍ କରିଦେଲେ କଥା ସରିଯିବନି । ଭାରତର ଅନେକ ଷ୍ଟାର୍ଟଅପ ଓ ଇନ୍ଫ୍ରା ପ୍ରୋଜେକ୍ଟରେ ଚାଇନା କମ୍ପାନୀଗୁଡିକର ବିପୁଳ ଅର୍ଥ ବିନିଯୋଗ ମଧ୍ୟ ଏକ ବଡ଼ ଚିନ୍ତାର ବିଷୟ। ଖାଲି ଏତିକି ନୁହେଁ, ଭାରତୀୟ ମୋବାଇଲ ବଜାରରେ ଚାଇନା କମ୍ପାନୀଗୁଡ଼ିକର ଆଧିପତ୍ୟ ମଧ୍ୟ ରହିଛି। ଏସବୁ ସମୟରେ ଯଦି ଚାଇନା ପାଇଁ ସବୁ ଦ୍ୱାର ବନ୍ଦ ହେଇଯାଏ ନିଶ୍ଚିତ ପକ୍ଷେ ତାକୁ ଏକ ବଡ଼ ଆର୍ଥିକ ଧକା ଲାଗିବ। ଏହା ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା କୋଡିଏ ଜଣ ସୈନିକଙ୍କ ପାଇଁ ଏକ ବଡ଼ ଶ୍ରଦ୍ଧାଞ୍ଜଳି କହିଲେ ଭୁଲ୍ ହେବନି।
ବୈଜ୍ଞାନିକ, ଭାବା ପରମାଣୁ ଗବେଷଣା କେନ୍ଦ୍ର
ଯାଦୁଗୁଡା, ପୂର୍ବ ସିଂଭୁମି, ଝାଡ଼ଖଣ୍ଡ
ମୋ-୯୪୭୧୩୮୦୮୧୦