Categories: ଜାତୀୟ

‘ଆମ ସରକାର ଆସୁଛି, ଛାଡିବା ନାହିଁ ପ୍ରତିଶୋଧ ନେବା’

ଲକ୍ଷ୍ନୌ,୨୫।୧: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତାଙ୍କ କଥା କଟାକଟି ଚାଲିଛି। ମିରଟ୍‌ ସାଉଥ ଆସନରୁ ବିଧାୟକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମାଜବାଦୀ ପାର୍ଟି (ଏସପି) ପ୍ରାର୍ଥୀ ଆଦିଲ ଚୌଧୁରୀ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ନିର୍ବାଚନ ଜିତିବା ପରେ ପ୍ରତିଶୋଧ ନେବୁ ବୋଲି ସେ କହିଛନ୍ତି। ଆଦିଲଙ୍କ ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି ଭାଜପା। ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଆଦିଲ ଏକ ହଲରେ ସାଧାରଣ ସଭା କରୁଥିବା ନଜର ଆସିଛନ୍ତି। ଏଥିରେ ସେ ତାଙ୍କ ସମର୍ଥକଙ୍କୁ କିଛି କଥା କହୁଥିବା ଶୁଣିବାକୁ ମିଳୁଛି। ସେ କହିଛନ୍ତି, ତୁମେ ଚିନ୍ତା ମୁକ୍ତ ରୁହ, ଆମ ସରକାର ଗଠନ ହେଉଛି। ସେମାନଙ୍କୁ ଛାଡିବା ନାହିଁ। ସେମାନେ ଯେପରି ଆମକୁ ଅତ୍ୟାଚାର କରୁଛନ୍ତି, ଗୋଟି ଗୋଟି ପ୍ରତିଶୋଧ ନେବା। ପ୍ରତିଶୋଧ କିପରି ନିଆଯାଏ ତାଙ୍କୁ ଜଣାଇଦେବେ ବୋଲି ସେ କହିଛନ୍ତି।
ଆଦିଲଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଭାଜପା ସମାଜବାଦୀ ପାର୍ଟି ଉପରେ ଆକ୍ରମଣ କରିଛି। ଭାଜପା ନେତା ସମ୍ବିତ ପାତ୍ର ଆଦିଲଙ୍କ ଏହି ଭାଇରାଲ ଭିଡିଓ ଟୁଇଟ୍‌ କରି କହିଛନ୍ତି, ନିର୍ବାଚନରେ (ୟୁପି ବିଧାନସଭା ନିର୍ବାାଚନ ୨୦୨୨) ଜିତିବା ପରେ ହିନ୍ଦୁମାନଙ୍କଠାରୁ ପ୍ରତିଶୋଧ ନେବାକୁ ରଣନୀତି ପ୍ରସ୍ତୁତ କରୁଛି ସମାଜବାଦୀ ପାର୍ଟି (ଏସପି)ର ନେତା। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଏସପିଙ୍କ ଉଦ୍ଦେଶ୍ୟ କ’ଣ ଏବଂ ଯଦି ସେମାନେ ନିର୍ବାଚନରେ ଜିତନ୍ତି ତେବେ ସେ ହିନ୍ଦୁମାନଙ୍କ ସହ କଣ କରିବେ?
ସୂଚନାଯୋଗ୍ୟ, ୨୦୧୨ ନିର୍ବାଚନରେ ଆଦିଲ ଏସପି ଟିକେଟରେ ମିରୁଟର ସାଉଥ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଥିଲେ।

Share