‘ଆମର ଏଠି ନେତା ପୁଅ ନେତା ହୁଅନ୍ତିନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଅନ୍ତି’

ଭୁବନେଶ୍ୱର,୨୬ା୯: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗୁରୁବାର ଭୁବନେଶ୍ୱରରେ ପହଞ୍ଚି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ନଡ୍ଡା ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇବା ସହ ଭାଜପା ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ ଦଳ। ଭାରତରେ ୫ ହଜାର ଦଳ, ୫୦ରୁ ଅଧିକ ପାର୍ଟି। ଆପଣମାନେ କଂଗ୍ରେସର ଏପରି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ନଡ୍ଡା ପ୍ରଶ୍ନ କରିଥିଲେ।

ସେ କହିଛନ୍ତି, ଭାଜପାରେ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ। ସଦସ୍ୟତା ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ। ଆମର ଏଠି ନେତା ପୁଅ ନେତା ହୁଏନି। ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଅନ୍ତି। ଏମିତି କିଛି କହି ବିରୋଧୀଙ୍କ ତେର୍ଚ୍ଛାବାଣ ମାରିଛନ୍ତି ନଡ୍ଡା।

ନାଁ ନ ନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କରିଛନ୍ତି ନଡ୍ଡା ।ଭଉଣୀ- ଭାଇଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ। ସବୁ ବେଳେ କେବଳ ଦୁଇଟି କଥା ଦେଖାଯାଉଛି। ତାହା ହେଲା ବେକାରୀ ଓ ଦରଦାମ ବୃଦ୍ଧି । ସେମାନଙ୍କ ଅଭିଧାନରେ ଯେମିତି ଆଉ କିଛି ନାହିଁ । ଏଥିସହ କଂଗ୍ରେସ୍ ନକ୍ସଲଙ୍କ ମୁଖପାତ୍ର ହୋଇଯାଇଛି ଓ ଶ୍ରୀନଗରରେ ଧାରା ୩୭୦ଆଣିବାକୁ ସେମାନଙ୍କ ସହ ହାତ ମିଶାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ନଡ୍ଡା। ସେ ଆହୁରି କହିଛନ୍ତି, ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୩୭୦ ଧାରା ଉଚ୍ଛେଦ ହେଲା।  ପ୍ରଧାନମନ୍ତ୍ରୀ ମୋଦି ଏହା ବିରୋଧରେ ଲଢି ଏହାକୁ ଉଚ୍ଛେଦ କଲେ। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା। ଏବେ ସେଠାରେ ବିଧାନସଭା ନିର୍ବାଚନ ହେଉଛି।

ପୁଣି ସଦ୍ୟସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଚାଲିଛି। ଆଜି ଆମ ପାର୍ଟିରେ ୧୦ଲକ୍ଷ ୪୦ହଜାର ବୁଥ୍ ଅଛି। ଦେଢ ଲକ୍ଷ ଶକ୍ତି କେନ୍ଦ୍ର, ୧୫ହଜାରରୁ ଅଧିକ ମଣ୍ଡଳ ରହିଛି। ଆଜି ପ୍ରାୟ ୩୫୦ ପାର୍ଲାମେଣ୍ଟ ମେମ୍ୱର ଅଛନ୍ତି। ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ୨୦୪୭ରେ ସାମିଲ ହେବାକୁ ଆମେ ଆପଣଙ୍କୁ ଆହ୍ୱାନ ଦେଉଛୁ। ଏଥିପାଇଁ ଆପଣ ସମସ୍ତେ ଏକାଠି ହୋଇ ଆମକୁ ସମର୍ଥନ କରନ୍ତୁ ବୋଲି ନଡ୍ଡା  କହିଛନ୍ତି।

ସୂଚନା ଥାଉକି, ନଡ୍ଡା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଉପମୁଖ୍ୟମନ୍ତ୍ରୀ ଭବ୍ୟ ସ୍ବାଗତ ଜଣାଇଥିଲେ।

Share