ପରଦାରେ ଗାଙ୍ଗୁଲି ହେବା ଲାଗି ଅଣ୍ଟା ଭିଡିଲେ ଆୟୁଷ୍ମାନ

ବମ୍ବେ: ଭାରତୀୟ ଖେଳାଳିମାନଙ୍କ ଉପରେ ନିର୍ମିତ ବାୟୋପିକକୁ ବହୁତ ପସନ୍ଦ କରୁଛନ୍ତି ଦର୍ଶକ। ଉଦାହରଣ ସ୍ବରୂପ ‘ଏମ୍‌ ଏସ୍‌ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ଠାରୁ ଆରମ୍ଭ କରି ‘ଭାଗ୍‌ ମିଲ୍‌ଖା ଭାଗ୍‌’କୁ ନିଆଯାଇପାରେ। ଏହି ଫିଲ୍ମଗୁଡିକର ସଫଳତାକୁ ଦେଖି ବଲିଉଡରେ ଭାରତୀୟ କ୍ରିକେଟ ଟିମ୍‌ର ସବୁଠାରୁ ଲୋକପ୍ରିୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନ କାହାଣୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ବାୟୋପିକ୍‌ରେ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଲିଡ ରୋଲରେ ନଜର ଆସିବେ। ଆସନ୍ତା ମାସରୁ ସେ ଫିଲ୍ମ ଲାଗି ନିଜର ପ୍ରସ୍ତୁତି ଆରମ୍ଭ କରିବେ।

ତେବେ ଗାଙ୍ଗୁଲିଙ୍କ ବାୟୋପିକ୍‌ ଲାଗି ରଣବୀର କପୁର ପ୍ରଥମ ଚଏସ୍‌ ଥିଲେ। ହେଲେ କିଛି କାରଣକୁ ନେଇ ରଣବୀର ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏହାପରେ ନିର୍ମାତା ଆୟୁଷ୍ମାନଙ୍କୁ ଅଫର ଦେଇଥିଲେ। ଅଭିନେତା ଏହାକୁ ଗ୍ରହଣ କରିନେଇଛନ୍ତି। ବାୟୋପିକ୍‌କୁ ଐଶ୍ୱର୍ଯ୍ୟା ରଜନୀକାନ୍ତ ନିର୍ଦ୍ଦେଶନା ଦେବାକୁ ଥିବା ବେଳେ ଡିସେମ୍ବରରୁ ଉଭୟ ଏହାର ଶୁଟିଂ ଆରମ୍ଭ କରିବେ ବୋଲି ଅଣ୍ଟା ଭିଡିଲେଣି।

Share