ଆରମ୍ଭ ହେଲା କରୋନାର ଚତୁର୍ଥ ଲହର!

ନୂଆଦିଲ୍ଲୀ,୧୦ ।୪: କରୋନା ସଂକ୍ରମଣ ପୁଣିଥରେ ଦେଶରେ ମୁଣ୍ଡ ଟେକିଲାଣି । ଦେଶର କିଛି ରାଜ୍ୟରେ ସଂକ୍ରମିତଙ୍କ ସଖ୍ୟା ବଢୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ଗତ ଏକ ସପ୍ତାହ ମଧ୍ୟରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଟିକାକରଣ ଦ୍ରୁତ ଗତିରେ ଚାଲିଥିବା ବେଳେ ସରକାରଙ୍କ ତରଫରୁ ବୁଷ୍ଟର ଡୋଜ ସମସ୍ତେ ନେବାକୁ ଅପିଲ କରାଯାଇଛି ।
ବିଭିନ୍ନ ରାଜ୍ୟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କେରଳ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର ଓ ମିଜୋରାମ ସରକାରଙ୍କୁ କେନ୍ଦ୍ର ସରକାର ପତ୍ର ଲେଖିଛନ୍ତି । ଏଥିରେ ସ୍ୱାସ୍ଥ୍ୟ ସଚିବ ରାଜ୍ୟରେ ସତର୍କତା ବଢାଇବା ଓ ସଂକ୍ରମିତଙ୍କ ବୃଦ୍ଧି ଉପରେ ନଜର ଦେବାକୁ କହିଛନ୍ତି । ଚାରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଲେଖାଯାଇଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେଉଁଠି କରୋନା ସଂକ୍ରମଣ ବୃଦ୍ଧି ହେଉଛି ସେଠାରେ ବିଶେଷ ଧ୍ୟାନ ଦିଆଯାଉ ।

Share